ଲେମ୍ଭୁ ପରେ ଟମାଟୋ ଦର ବୃଦ୍ଧି
ହିଞ୍ଜିଳିକାଟୁ, ଶେଷଦେବ ସାହୁ) :-ଲେମ୍ଭୁ ପରେ ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଗତ ସପ୍ତାହେ ମଧ୍ୟରେ ଟମାଟୋ ଦର ଆଶାତୀତ ଭାବେ ବୃଦ୍ଧି ପାଇଛି । ଫଳରେ ଖାଉଟି ମାନେ ଟମାଟୋ କିଣିବାକୁ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି । ୧୦ ଦିନ ମଧ୍ୟରେ ଟମାଟୋ ଦର କିଲୋ ପିଛା ୩୦ରୁ ୩୫ ଟଙ୍କା ବୃଦ୍ଧି ପାଇଛି । ୧୦ ଦିନ ପୂର୍ବରୁ ସ୍ଥାନୀୟ ବଜାରରେ ଟମାଟୋ ଦର କିଲୋ ପିଛା ୨୫ ଟଙ୍କା ବିକ୍ରି ହେଉଥିବା ବେଳେ ଶୁକ୍ରବାର ଦର ୬୦ଟଙ୍କା ରହିଛି । ଅଚାନକ ଏଭଳି ଦର ବୃଦ୍ଧି ଖାଉଟିଙ୍କୁ ଚକିତ କରିଛି । ଖାଉଟି ମାନେ ପୂର୍ବରୁ ୨କିଲୋ ନେଉଥିବା ବେଳେ ବର୍ତ୍ତମାନ ଅଧା କିଲୋରେ କାମ ଚଲାଉଥିବା ଦେଖିବାକୁ ମିଳୁଛି । ହୋଟେଲ ଗୁଡିକରେ ସାଲାଡରେ ଟମାଟୋ ଉଭାନ ହୋଇଯାଉଥିବା ଦେଖିବାକୁ ମିଳୁଛି । ଘରେ ହେଉ କି ହୋଟେଲ ପ୍ରତ୍ୟେକ ବ୍ୟଞ୍ଜନରେ ଟମାଟୋର ଭୂମିକା ରହିଛି । ହେଲେ ଟମାଟୋ ଦର ଆକାଶ ଛୁଆଁ ହେବା ଫଳରେ ଆବଶ୍ୟକ ଠାରୁ ୫ଗୁଣା କମ୍ ବ୍ୟବହାର କରାଯାଉଥିବା ଜଣାପଡିଛି । ପ୍ରକାଶ ଥାଉକି, ଗତ ୧୦ ଦନି ପୂର୍ବରୁ ହିଞ୍ଜିଳିକାଟୁ ହୋଲସେଲ ପରିବା ବଜାରରେ ଟମାଟୋ ଦର କୁଇଣ୍ଟାଲ ପିଛା ୧୮ ଶହ ରୁ ୨ ହଜାର ଟଙ୍କା ରହିଥିଲା । ଯାହା ଫଳରେ ଖୁଚୁରା ବଜାରରେ ଦର କିଲୋ ପିଛା ୨୫ରୁ ୩୦ଟଙ୍କାରେ ବିକ୍ରି କରାଯାଉଥିଲା । ହିଞ୍ଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ବୁରୁପୋଡା, ଖରିଡା, ଆଲପୁର, ନନ୍ଦିକ, ବାଳକୃଷ୍ଣପୁର, ଶାସନଆମ୍ବଗାଁ ପ୍ରଭୃତି ଅଞ୍ଚଳରେ ଟମାଟୋ ସମେତ ବିିଭିନ୍ନ ପ୍ରକାରର ପନିପରିବା ଆମଦାନି କରାଯାଇ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଉଥିଲା । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଟମାଟୋ ଆମଦାନି ନଥିବାରୁ ମହାରାଷ୍ଟ୍ର, ବାଙ୍ଗୋଲୋର ଓ ରାୟପୁର ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଫଳରେ ଦର ଅଧିକା ରହିଛି । ଟମାଟୋ ବାହାର ରାଜ୍ୟରୁ ଆସୁଥିବାରୁ ଦର ବୃଦ୍ଧି ଘଟିଛି ଏବଂ ଆଶାତୀତ ଭାବେ ବ୍ୟବସାୟ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମାନେ କହିଛନ୍ତି ।