ଜିଲ୍ଲା କୋଷାଗାରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ : ହଇରାଣ ହରକତ ହେଉଛନ୍ତି ସରକାରୀ କର୍ମଚାରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲା କୋଷାଗାରରେ ଏବେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ଯେତିକି ସଂଖ୍ୟକ କର୍ମଚାରୀ ରହିବା କଥା ତାହାର ୫୦ ପ୍ରତିଶତ କର୍ମଚାରୀ ମଧ୍ୟ ନାହାଁନ୍ତି । ଫଳରେ ସଠିକ ସମୟରେ ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବିଲ ପାସ ହୋଇ ପାରୁନାହିଁ । ସେହିପରି ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ବିଲ ମଧ୍ୟ ପାସ ହୋଇ ପାରୁନାହିଁ । ସରକାରୀ କର୍ମଚାରୀଙ୍କ ଲାଇଫ ସାର୍ଟିଫିକେଟ୍ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଲ ପାସ ମଧ୍ୟ ହୋଇ ପାରୁନାହିଁ । ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଚାଲାଣ କାଟିବା ପାଇଁ କୋଷାଗାରକୁ ଯାଉଛନ୍ତି । କିନ୍ତୁ କର୍ମଚାରୀ ଅଭାବରୁ ସେମାନେ ଠିକ ସମୟରେ ଏହି ସୁବିଧା ପାଇ ପାରୁ ନାହାଁନ୍ତି । ଫଳରେ ସେମାନେ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି । ଜିଲ୍ଲା କୋଷାଗାର କାର୍ଯ୍ୟାଳୟରେ ୨ଜଣ ଅତିରିକ୍ତ ଟ୍ରେଜେରୀ ଅଫିସର ରହିବା ସ୍ଥାନରେ ଅଛନ୍ତି ମାତ୍ର ଜଣେ । ସେହିପରି ୫ ଜଣ କନିଷ୍ଠ କିରାଣୀ ରହିବା ସ୍ଥାନରେ ଅଛନ୍ତି ମାତ୍ର ଜଣେ । ୫ ଜଣ ବରିଷ୍ଠ କିରାଣୀ ରହିବା ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ । ଏଭଳି ପରିସ୍ଥିତିରେ କାମ ହୋଇ ପାରୁନାହିଁ ବୋଲି ଜଣେ କର୍ମଚାରୀ କହିଛନ୍ତି । ସେ କହିଛନ୍ତି ଦୀର୍ଘଦିନ ହେବ ଏହି ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯାଇଥିଲେବି ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି । ସରକାର ନୂତନ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ଏହି ପରିସ୍ଥିତି ଚାଲିଥିବ । ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଡଃ. ଉପେନ୍ଦ୍ରନାଥ ପ୍ରଧାନଙ୍କ କହିବାନୁଯାୟୀ ଏବେ ପେନସନ ଭୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସେହିପରି ବହୁ ପେନସନ ଭୋଗୀଙ୍କ ବିଭିନ୍ନ ସମସ୍ୟା ରହିଛି । କାହାର କାଗଜପତ୍ରରେ ସମସ୍ୟା ରହିଛି ତ କାହାର ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ସମସ୍ୟା ରହିଛି । ଯାହାଦ୍ୱାରା ସେମାନେ ସଠିକ ସମୟରେ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନେ ଏହି ସମସ୍ୟା ସମାଧାନ କରିବାକୁ ଯିବାବେଳେ ଆବଶ୍ୟକ କର୍ମଚାରୀ ଅଭାବରୁ ସେମାନେ ସେବା ପାଇ ପାରୁନାହାଁନ୍ତି । ଏ ନେଇ କୋଷାଗାର ଅଧିକାରୀଙ୍କ ନିକଟକୁ ଅଭିଯୋଗ କରିବାକୁ ଗଲେ ଉତ୍ତର ମିଳୁଛି ଆମର କର୍ମଚାରୀ ଅଭାବ ରହିଛି । ତେଣୁ ଆପଣମାନଙ୍କୁ ହଇରାଣ ହରକତ ହେବାକୁ ପଡୁଛି । କର୍ମଚାରୀ ଅଭାବ ପୁରଣ ହୋଇଗଲେ ଆମଣମାନେ ଆଉ ହଇରାଣ ହରକତ ହେବେ ନାହିଁ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ କହିବାନୁଯାୟୀ ପେନସନ ପାଇବା ପାଇଁ ଅନେକ ଥର କୋଷାଗାର କାର୍ଯ୍ୟାଳୟକୁ ଯାଇ ସେ ନିରାଶ ହେଲିଣି । କର୍ମଚାରୀ ଅଭାବ ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି । ଏହାମଧ୍ୟ ଆମେ ହୃଦୟଙ୍ଗମ କରୁଛୁ । କାରଣ ଅନେକ ଟେବୁଲ ଫାଙ୍କା ପଡୁଛି । କେହି କର୍ମଚାରୀ ନାହାଁନ୍ତି । ବାଧ୍ୟହୋଇ ଆମେ ଫେରିକି ଆସୁଛୁ । ଏ ନେଇ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ କୋଷାଗାର ନିର୍ଦେଶକଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି । କିନ୍ତୁ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଏହି କାର୍ଯ୍ୟାଳୟରେ ବହୁ ଦୁର୍ନୀତି ହେଉଥିବା ସମ୍ପକରେ ଦୁର୍ନିୀତି ନିବାରଣ ବିଭାଗରେ ଅଭିଯୋଗ ହେବା ଫଳରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଜାଲ ବିଛାଇଥିଲେ । ଫଳରେ ଗତ ଅପ୍ରେଲମାସ ୮ ତାରିଖରେ ଏହି କାର୍ଯ୍ୟାଳୟର ଜଣେ କିରାଣୀଋ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ଗୋଟିଏ ପଟେ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ । ଅନ୍ୟ ପଟେ କାର୍ଯ୍ୟାଳୟର କର୍ମଚାରୀମାନେ ଦୁର୍ନୀତିଗ୍ରସ୍ତ । ତେଣୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ବାରମ୍ବାର ଦୌଡିଲେ ମଧ୍ୟ କିଛି ଲାଭ ହେଉନାହିଁ । ଅପ୍ରେଲମାସ ୮ ତାରିଖ ଦିନ ଜଣେ ମହିଳା ଅବସରପ୍ରାପ୍ତ କର୍ମଚାରୀଙ୍କ ଫାଇନାଲ ପେନସନ ବିଲ କରି ଦେବା ପାଇଁ ମହିଳାଙ୍କ ସ୍ୱାମୀ କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ ବାଧ୍ୟ ହୋଇ ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଏହାଦ୍ୱାରା କିରାଣୀ ସମରା ହେମ୍ବ୍ରମଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଜେଲ ପଠାଇଥିଲା ବୋଲି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କହିଛନ୍ତି । ଏହାପର ଠାରୁ ପୁଣି ଜଣେ କର୍ମଚାରୀଙ୍କ ସଂଖ୍ୟା କମିଗଲା । ତେଣୁ କୋଷାଗାର କର୍ମଚାରୀମରନେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଦରକାର ବୋଲି ସେ କହିଛନ୍ତି । ଜିଲ୍ଲା କୋଷାଗାର ଅଧିକାରୀ ପ୍ରଫୁଲ୍ଲ ବେହେରା କହିଛନ୍ତି ମାତ୍ର ୨୦ ପ୍ରତିଶତ କର୍ମଚାରୀରେ ଏବେ ଜିଲ୍ଲା କୋଷାଗାର ଚାଲିଛି । ଏ ନେଇ ଆମେ ସରକାରଙ୍କୁ ଜଣାଇଛୁ । ସରକାର ଯାହା ପଦକ୍ଷେପ ନେବେ ଆମେ ତାହାକୁ ଗ୍ରହଣ କରିବୁ । ଦୁର୍ନୀତି ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଲେ ଏହା ଏକ ଋଗଣ ମାନସିକତା । ଯେଉଁ କର୍ମଚାରୀ ଏହି ମାନସିକତାକୁ ନେଇ କାର୍ଯ୍ୟ କରିବେ ସେ ଭିଜିଲାନ୍ସ ଜାଲରେ ପଡିବେ ।


