ବିଶ୍ୱ ବାଇସାଇକେଲ୍ ଦିବସରେ ବିଶାଳ ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆମ ରାଜ୍ୟରେ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସାଇକେଲ୍‌ର ଆଦର ରହିଛି । ସାଇକେଲ୍ ହେଉଛି ଓଡ଼ିଆଙ୍କ ପାଇଁ ପରିବହନର ପାରମ୍ପରିକ ଓ ଲୋକପ୍ରିୟ ମାଧ୍ୟମ । ସାଧାରଣ ଲୋକର ଜୀବନଯାତ୍ରାରେ ସାଇକେଲ୍ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଫିସ୍ ଠାରୁ ଆରମ୍ଭ କରି ସ୍କୁଲ୍ ପିଲା ସମସ୍ତଙ୍କ ପାଇଁ ଉପାଦେୟ ହେଉଛି ସାଇକେଲ । ସାଇକେଲ୍ ବ୍ୟବହାର ଦ୍ୱାରା ଆମେ ଧ୍ୱନି, ବାୟୁ ପ୍ରଦୂଷଣକୁ କମାଇ ପାରିବା ସହ ପେଟ୍ରୋଲ, ଡ଼ିଜେଲ ପରି ଇନ୍ଧନର ଅପଚୟକୁ ବି ରୋକିପାରିବା । ତତ୍‌ସହିତ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାଇକେଲ ବହନ କରିଥାଏ ବୋଲି ଆଜି ବିଶ୍ୱ ସାଇକେଲ୍ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଶ୍ୱ ସାଇକେଲ୍ ଦିବସ-୨୦୨୨କୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରେସ୍ ସୂଚନା ବ୍ୟୁରୋ, ଭୁବନେଶ୍ୱର, ଆଞ୍ଚଳିକ ଆଉଟରିଚ୍ ବ୍ୟୁରୋ, ଭୁବନେଶ୍ୱର ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗର ହାତ ବଢାଇ ଥିଲେ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ପ୍ରେସ୍ ଇନ୍‌ଫରମେସନ୍ ବ୍ୟୁରୋ କ୍ୟାମ୍ପସ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନକ ରୂପେ ମୁଖ୍ୟ ଅତିଥି ରୂପେ ସୈନିକ ସ୍କୁଲର ପ୍ରିନ୍ସିପାଲ କର୍ଣ୍ଣେଲ ବାଲୁ ଭରଥ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନତ ଅତିଥି ରୂପେ ନେହରୁ ଯୁବକେନ୍ଦ୍ର ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶିକା ରୀତା ଭଗତ, ରିଜିଓନାଲ ଆଉଟରିଚ୍ ବ୍ୟୁରୋର ଇଡ଼ିପି ଅଖିଳ କୁମାର ମିଶ୍ର, ଏନ୍‌ସିଏସ୍‌ସିଡ଼ିଏର ପୂର୍ବତନ ସହ ନିର୍ଦ୍ଦେଶ ରାମକିଶୋର ଶର୍ମା ପ୍ରମୁଖ ଯୋଗଦେଇ ସଂଗଠନର ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଉକ୍ତ ସାଇକେଲ୍ ଶୋଭାଯାତ୍ରାରେ ପାଖାପାଖି ୧ଶହରୁ ଉର୍ଦ୍ଧ୍ୱ ଯୁବକ, ଯୁବତୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିପିନ କୁମାର, ଆକାଉଣ୍ଟସ୍ ଅଧିକାରୀ ଶୁଭେନ୍ଦ୍ର ନାଥ ସାହୁ, କୁଳମଣି ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ