ନିମାପଡ଼ା ରେ ଜିଏସଟି ବିଭାଗ ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ
ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡା ଅଞ୍ଚଳ ପୁରୀ ଜିଲ୍ଲାର ଏକ ପ୍ରସିଦ୍ଧ ବାଣିଜ୍ୟ ବ୍ୟବସାୟ ର କେନ୍ଦ୍ର ହୋଇ ଥିବାବେଳେ କିଛି ବ୍ୟବସାୟୀ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇ ଆସୁ ଥିଲା । ଗୁରୁବାର ଦିନ ଜିଏସଟି ବିଭାଗ ଏନଫୋର୍ସମେଣ୍ଟ ଟିମ ନିମାପଡା ଅଞ୍ଚଳ ରେ ଚଢ଼ାଉ କରିଥିଲା । ନିମାପଡା – ପିପିଲି ମୁଖ୍ୟ ରାସ୍ତା ର ନୂଆ ଷ୍ଟେଟବ୍ୟାଙ୍କ ନିକଟସ୍ଥ ନିଗମ ଟାଇଲସ ଉପରେ ଚଢାଉ କରାଯାଇ ଦୋକାନ ର ମାଲିକ ନିତ୍ୟାନନ୍ଦ ସାହୁ ଙ୍କୁ ପଚରାଉଚରା କରାଯାଇଥିଲା । ଏଥିସହିତ ଜିଏସଟି ଟିମ ଦୋକାନ ର ଗୋଦାମ ଗୃହ ଯାହା ନିମାପଡା ନିୟନ୍ତ୍ରିତ ବଜାର କମିଟି ପରିସର ରେ ଅଛି ତା ଉପରେ ଚଢାଉ କରିଥିଲେ। ଗୋଦାମ ଗୃହ ରେ କୋଟି କୋଟି ଟଙ୍କା ମୂଲ୍ୟ ର ଟାଇଲ ଓ ବିଭିନ୍ନ ସାମଗ୍ରୀ ମହଜୁଦ ରହିଥିବାବେଳେ ଟିମ କୁ ବ୍ୟବସାୟୀ ଜଣକ ନିର୍ଦ୍ଦିଷ୍ଟ କାଗଜପତ୍ର ଦେଖାଇ ପାରି ନଥିଲେ। ଏଣୁ ଜିଏସଟି ଟିମ ବାଧ୍ୟହୋଇ ବ୍ୟବସାୟୀ ଙ୍କ ଦୋକାନ ଗୃହ ଓ ଗୋଦାମ କୁ ସିଲ କରିଥିଲା । ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ବିଭାଗ ନିର୍ଦ୍ଦେଶାଳୟ ର ଯୁଗ୍ମ କମିଶନର ରମେଶ ଚନ୍ଦ୍ର ତ୍ରିପାଠୀ ଙ୍କ ନିର୍ଦ୍ଦେଶ ରେ ପୁରୀ ଡେପୁଟି କମିଶନର ଦାମୋଦର ପାତ୍ର, ଭୁବନେଶ୍ଵର ବିଭାଗୀୟ ଅଧିକାରୀ ଦର୍ଶନ ମହାନ୍ତି, ବିଭୁତେନ୍ଦୁ ଲେଙ୍କା, ପୁରୀ ଜିଲ୍ଲା ଜି ଏସ ଟି ଅଧିକାରୀ ବାଣୀପ୍ରସାଦ ପଣ୍ଡା, ରଞ୍ଜିତ ସ୍ଵାଇଁ ପ୍ରମୁଖ ଙ୍କ ନେତୃତ୍ଵ ରେ ଏହି ଚଢାଉ କରାଯାଇ ଥିଲା। ନିମାପଡ଼ା, ବଳଙ୍ଗା, ଚାରିଛକ, ଖେଲାର, ତୁଳସୀପୁର, ପ୍ରଭୃତି ଅଞ୍ଚଳ ରେ ବହୁ ବ୍ୟବସାୟୀ, ଡାଲି କଳ,ଚାଉଳ କଳ ପ୍ରଭୃତି କୋଟି କୋଟି ଟଙ୍କା ବ୍ୟବସାୟ କରୁଥିଲେ ମଧ୍ୟଠିକ୍ ପରିମାଣ ର ଜି ଏସ ଟି ଦେଉ ନଥିବା ଅଭିଯୋଗ ହେଉଛି । ଏ ଦିଗରେ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।


