ଯୋଗେଶ୍ୱରପୁରରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା

କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ) :ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ଦେଶପ୍ରେମର ଜୁଆର ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ହର ଘର ତ୍ରିରଙ୍ଗା” ଅଭିଯାନକୁ ବ୍ୟାପକ ସମର୍ଥନ ମିଳିଛି। ଗୁରୁବାର ଯୋଗେଶ୍ୱରପୁର ଠାରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସମଗ୍ର ଅଞ୍ଚଳକୁ ଦେଶଭକ୍ତିମୟ କରିଦେଇଥିଲା। ହାତରେ ତ୍ରିରଙ୍ଗା ଧରି ହଜାର ହଜାର ଲୋକ ଭାରତ ମାତା କୀ ଜୟ ଓ ବନ୍ଦେ ମାତରମ୍ ଧ୍ୱନିରେ ରାସ୍ତା କମ୍ପାଇ ଦେଇଥିଲେ। ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା, ସମାଜସେବୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ସାମିଲ ହୋଇ ଏକତାର ନିଆରା ନିଦର୍ଶନ ପ୍ରଦର୍ଶନ କରିଥିଲେ। ବାଟରେ ସ୍ଥାନୀୟ ଲୋକେ ଫୁଲ ବର୍ଷା କରି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୋହିତ କରିଥିଲେ। ଯୁବ ସମାଜସେବୀ ତଥା ଅସ୍ତରଙ୍ଗ ମଣ୍ଡଳ ନଂ ୧ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା କହିଥିଲେ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମର ସାମୂହିକ ଗୌରବ ଓ ଆତ୍ମସମ୍ମାନର ପ୍ରତୀକ। ଯୋଗେଶ୍ୱରପୁର ରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ହଜାର ହଜାର ଲୋକ ତ୍ରିରଙ୍ଗା ଧରି ଚାଲିବା ଦେଖି ପ୍ରମାଣ ହେଲା ଯେ ଆଜି ବି ଆମ ଯୁବପିଢି ମଧ୍ୟରେ ଦେଶପ୍ରେମ ଜୀବନ୍ତ ଅଛି। ତ୍ରିରଙ୍ଗା ଆମ ମନରେ ଦେଶପ୍ରେମ ଜାଗ୍ରତ କରେ ଏବଂ ଜାତି-ଧର୍ମ ଭେଦ ଭୁଲାଇ ଆମକୁ ଏକତାର ସୂତ୍ରରେ ବାନ୍ଧେ। ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ଆହ୍ୱାନ ପ୍ରତି ଭାରତୀୟଙ୍କ ଘରେ ଦେଶଭକ୍ତିର ଦୀପ ଜାଳିବାର ପ୍ରୟାସ। ଆସନ୍ତୁ ଆମେ ସମସ୍ତେ ମିଳି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। କିନ୍ତୁ ଅନ୍ୟତମ ବ୍ୟକ୍ତିତ୍ୱ ଜଗତସିଂହପୁର ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସୁଦର୍ଶନ ସ୍ୱାଇଁ ନିଜେ ଉପସ୍ଥିତ ନଥିଲେ ମଧ୍ୟ ନିଜ ବାର୍ତ୍ତାରେ କହିଥିଲେ, ତ୍ରିରଙ୍ଗା ଯାତ୍ରା ଆମର ଏକତାର ଅନ୍ୟ ପରିଚୟ। ଏହା ଆମର ସାମୂହିକ ଚେତନାର ମହାନ ଉତ୍ସବ। ତ୍ରିରଙ୍ଗା ଆମ ଗୌରବ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ। ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରି ପ୍ରତି ଘରେ ତ୍ରିରଙ୍ଗା ଉଡିଲେ ହିଁ ଆମର ଦେଶପ୍ରେମ ସାର୍ଥକ ହେବ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ ବିଜେପି କର୍ମୀ, ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା।ଅସ୍ତରଙ୍ଗରେ ପହଞ୍ଚିବା ପରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଦେଶପ୍ରେମ, ଏକତା ଓ ଅଖଣ୍ଡତା ଉପରେ ଆଲୋକପାତ କରିଥିଲେ। ଶେଷରେ ସମସ୍ତେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା କାକଟପୁର-ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଦେଶପ୍ରେମର ନୂଆ ଉଦ୍ଦୀପନା ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ