୪୪୭କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ :୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ପେଟ୍ରୋଲିଂ ଦଳ ବିଭିନ୍ନ ସମୟରେ ପଇଁତରା ମାରୁଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସ୍‌ଆଇ ପଞ୍ଚାନନ ବେହେରାଙ୍କ ସହ ଏକ ଟିମ୍ କିଞ୍ଚିଂଲିଙ୍ଗି-ଲାଟିଗାଁ-କଇଁପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଓଡି ୨୦ ୩୩୯୮ ନମ୍ବର ବିଶିଷ୍ଟ ଟାଟା ୪୦୭ ମିନି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଏଥିରେ ଗଞ୍ଜେଇ ଚାଲାଣ ହେଉ ଥିବାର ଜଣାପଡିଥିଲା । ଏହି ଗଞ୍ଜେଇକୁ ଓଜନ କରିବା ପରେ ସମୁଦାୟ ୪୪୭କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବାର ଯାଣିବାକୁ ପାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଯଥା ମିନି ଟ୍ରକ ଚାଳକ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କେତୁଙ୍ଗପଡା ଗ୍ରାମର ପ୍ରଶାନ୍ତ ରଇତ (୨୯) ଏବଂ ଆଟିଲିମ୍ମା ଗ୍ରାମର ଅଜୟ ବୀର (୨୨) ବୋଲି ଜଣାପଡିଛି । ଏହା ସହ ଏହି ମିନି ଟ୍ରକକୁ ବାଟକଡାଇ ନେଉଥିବା ଓଡି ୨୦ ୦୫୪୭ ନମ୍ବର ବିଶିଷ୍ଟ ହୋଣ୍ଡା ସାଇନି ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି । ଚାଲାଣ ହେଉଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଗଞ୍ଜେଇ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଅନୁସାଇ ଗ୍ରାମରୁ ବିହାର ରାଜ୍ୟକୁ ଚାଲାଣ ହେଉଥିବାର ଅଭିଯୁକ୍ତ ମାନେ ସ୍ୱୀକାର କରିଥିବାର ପୋଲିସ ଜଣାଇଛି । ଏ ନେଇ ଗାରବନ୍ଧ ଥାନାରେ ୫୪/୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ