ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘର ବିଧାନସଭା ସମ୍ମୁଖରେ ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘ ଡ଼ାକରାରେ ବିଧାନସଭା ସମ୍ମୁଖରେ ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋୟର ପିଏମ୍ଜିରେ ଗଣଧାରଣାରେ ବସିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥାରେ ନିୟୋଜିତ ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକମାନଙ୍କୁ ଏସ୍.ଇ.ଏମ୍ ପରିବର୍ତ୍ତେ ଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରୀ ଓ କାମ କରିବା ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଏସ୍.ଇ.ଏମ୍ ପରିବାରକୁ ଅନ୍ୟୁନ କୋଡିଏ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ, ବସୁଧା ମେଗା ପ୍ରୋଜେକ୍ଟ ମେଣ୍ଟେନାନ୍ସ କାମରେ ଏସ.ଇ.ଏମ୍ ମାନଙ୍କୁ ପ୍ରୋଜେକ୍ଟ ମଜୁରୀ ହାରରେ ପାରିଶ୍ରମିକ ପ୍ରଦାନ କରି ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା ଦାବିରେ ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘର ସଭାପତି ପ୍ରଦୀପ୍ତ ରାମ ଏବଂ ସମ୍ପାଦକ ଜିତେନ୍ଦ୍ର ବଳବନ୍ତରାୟଙ୍କ ନେତୃତ୍ୱରେ ରାଜ୍ୟର ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକମାନେ ୧୨ ଘଟିକା ସମୟରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭସ୍ଥଳରେ କାର୍ଯ୍ୟକାରୀ ସଭାପତି ରାଜକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସଭାପତି ଚିନ୍ତାମଣି ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପରିଡ଼ା, କାର୍ଯ୍ୟକାରୀ କମିଟି ସଦସ୍ୟ ସର୍ବଶ୍ରୀ ଦିଲ୍ଲୀପ ସେଠୀ, ଭାଗିରଥି ପାଢୀ, ଚନ୍ଦ୍ରଶେଖର ହେମ୍ବ୍ରମ, ଅକ୍ଷୟ ଡାଳୁଆ,ମାନଗୋବିନ୍ଦ ପଣ୍ଡା, ସୁନିଲ ମହାନ୍ତି, ପ୍ରମୋଦ ସ୍ୱାଇଁ, ଦୋଳଗୋବିନ୍ଦ ଦାସ, କ୍ଷୀରୋଦ କାଣ୍ଡି, ଲଳିତ କୁମାର ମହାପାତ୍ର, ଦଣ୍ଡପାଣି ପଣ୍ଡା, ଶିବଶଙ୍କର ପାଣିଗ୍ରାହୀ ଓ ସନ୍ନ୍ୟାସୀ ସାହୁ ଏଆଇୟୁଟିୟୁସି ନେତୃମଣ୍ଡଳୀ ଅଶୋକ ସାହୁ, ନିରଞ୍ଜନ ମହାନ୍ତି, କୃଷକ ନେତା ନିରଞ୍ଜନ ମଙ୍ଗରାଜ, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରକାଶଥାଉକି, ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାରେ ୨୦ବର୍ଷ ଧରି ବିନା ଛୁଟିରେ ନିୟମିତ କାର୍ଯ୍ୟ କରି ଆସୁଥିବା ୧୩ ହଜାର ୬ଶହ ସ୍ୱାବଲମ୍ବୀ କାରୀଗରମାନଙ୍କୁ ସମ୍ପ୍ରତି ମାସିକ ୨ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଛି । ୪ ଲକ୍ଷ ନଳକୂପ ଓ ପାଇପ ଲାଇନ ମରାମତି ସହିତ ୧୨ ହଜାର ପମ୍ପ ଚଳାଉଥିବା ଏହି କୁଶଳୀ କରୀଗରମାନଙ୍କୁ ଅଦ୍ୟାବଧି କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇ ନାହିଁ । ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘ ଡ଼ାକରାରେ ଆଜି ଏସ୍.ଇ.ଏମ୍.ମାନେ ବିଧାନସଭା ସମ୍ମୁଖରେ ଗଣଧାରଣାରେ ବସି ରହିଛନ୍ତି । ବିକ୍ଷୋଭ ସ୍ଥାନରୁ ସଭାପତି ପ୍ରଦୀପ୍ତ ରାମଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳୀ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଏକ ୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଅମାତ ଦାବି ଗୁଡ଼ିକ ହୃଦୟଙ୍ଗମ କରି ଖୁବ୍ ଶୀଘ୍ର ସରକାରଙ୍କ ସହିତ ପରାମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।


