କୃଷିମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ-ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଅଭାବି ବିକ୍ରିକୁ ରକ୍ଷା କରିବା, ଖାଉଟିଙ୍କୁ ଉଚ୍ଚମାନର ଗୁଣାତ୍ମକ ଦୁଗ୍ଧ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ‘ଅମୁଲ’ ଢାଞ୍ଚାରେ ଓମ୍ଫେଡ଼ ପ୍ରତିଷ୍ଠା କରାଯାଇଥିଲା । ଚାଷୀଙ୍କୁ ଉଚିତ୍ ମୂଲ୍ୟରେ ଚାଷୀଙ୍କ ଠାରୁ କ୍ଷୀର କିଣି ବଜାରରେ ବିକ୍ରି କରିବା ଓ ଖାଉଟିଙ୍କ ଚାହିଦା ପୂରଣ କରିବା ଓମ୍ଫେଡ଼ର ମୂଳ ଲକ୍ଷ୍ୟ ଥିଲା । ସେଥିପାଇଁ ଭୁବନେଶ୍ୱର କଟକ ମଝିରେ ଏକ ଅତ୍ୟାଧୁନିକ ଓମ୍ଫେଡ଼ ପ୍ଲାଣ୍ଟ ୨୬୦ କୋଟି ଟଙ୍କା ବ୍ୟୟରେ ବିଶ୍ୱବ୍ୟାଙ୍କ ସହାୟତାରେ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଦୁଃଖର କଥା ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତି ଯୋଗୁ ଆଜି ଉକ୍ତ ଅତ୍ୟାଧୁନିକ ପ୍ଲାଣ୍ଟଟି ଅଚଳ ହୋଇପଡ଼ିଛି କିମ୍ବା ସଠିକ ଭାବରେ ଦୁଗ୍ଧ ପ୍ରୋସେସିଂ କରିପାରୁ ନାହିଁ । ଫଳରେ ଆଜି ସନ୍ଧ୍ୟା ଓ ଆସନ୍ତା କାଲି ସକାଳ ପାଇଁ ଓମ୍ଫେଡ଼ ପକ୍ଷରୁ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ବନ୍ଦ ରଖାଯାଇଛି । ଏହି ଦୁଇବେଳାରେ କଟକ ଓ ପୁରୀ ଜିଲ୍ଲା ଦୁଗ୍ଧ ସଂଘର ପାଖାପାଖି ବେଳାକୁ ଅଢେଇ ଲକ୍ଷ ଲିଟର କ୍ଷୀର ସଂଗ୍ରହ ବନ୍ଦ ରହିବ । ତେଣୁ ଚାଷୀଙ୍କର ଏହି ଦୁଇବେଳାରେ ଲିଟର ୩୦ ଟଙ୍କା ହାରାହାରିରେ ଦେଢ କୋଟି ଟଙ୍କା କ୍ଷତି ଘଟିବ । ଏହି ଦେଢକୋଟି ଟଙ୍କାକୁ ଭରଣା କରିବ କିଏ ବୋଲି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା ପ୍ରଶ୍ନ କରିବା ସହିତ କୃଷିମନ୍ତ୍ରୀ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ କ୍ଷତିଗ୍ରସ୍ତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହେବେ ଏବଂ ଯେଉଁଥିପାଇଁ ଓମ୍ଫେଡ଼ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି ।