ବୋଲ ମାନୁନି ବ୍ରହ୍ମତାଳଧ୍ୱଜ ରଥ : ଗୁଣ୍ଡିଚାର ଅଘଟଣ ବାହୁଡାରେ ପୁନରାବୃତ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବୋଲ ମାନୁନି ଶ୍ରୀବଳଦେବଜୀୟୁଙ୍କ ବ୍ରହ୍ମ ତଳଧ୍ୱଜ ରଥ । ରବିବାର ଅପରାହ୍ଣରେ ମାଉସୀ ମା’ଙ୍କ ମନ୍ଦିର ନିକଟରୁ ରଥ ଟଣା ଆରମ୍ଭ ହୋଇଥିଲା । କିନ୍ତୁ ରଥ ମାତ୍ର ୨୦୦ ମିଟର ଗଡିବା ପରେ ବାମ ପାଶ୍ୱର୍କୁ ମାଡି ଯାଇଥିଲା । ଫଳରେ ରଥ ଆଉ ଆଗେଇ ପାରି ନ ଥିଲା । ରେଳବାଇ ପକ୍ଷରୁ ଆସିଥିବା ହାଇଡ୍ରୋଲିକ ଜଗ ଦ୍ୱାରା ରଥକୁ ସଠିକ ଦିଗକୁ ଅଣାଯାଇଥିଲା । ରଥ ଟାଣିବା ପାଇଁ ରବିବାର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ରବିବାର ଛୁଟିଦିନ ଥିବାରୁ ଭକ୍ତମାନେ ବହୁ ଅଧିକ ସଂଖ୍ୟାରେ ଉପସ୍ଥିତ ଥିଲେ । ଭକ୍ତମାନେ ଆବେଗର ସହ ରଥ ଟାଣିବା ପାଇଁ ପ୍ରସ୍ତୁତ ହୋଇଥିଲେ । ରବିବାର ସକାଳୁ ରଥ ଦାଣ୍ଡରେ ଧିରେ ଧିରେ ଭିଡ଼ ଜମିବା ଦେଖା ଯାଇଥିଲା । ଅପରାହ୍ଣ ୩ଟା ବେଳକୁ ରଥଦାଣ୍ଡର ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଭକ୍ତମାନେ ଆଶା କରିଥିଲେ ରବିବାର ରଥ ଶ୍ରୀଜୀୟୁଙ୍କ ସିଂହଦ୍ୱାରରେ ଲାଗିଯିବ । କିନ୍ତୁ ତାହା ହେଲା ନାହିଁ । ବ୍ରହ୍ମତାଳଧ୍ୱଜ ରଥ ମାତ୍ର ୨୦୦ ମିଟର ଗଡିବା ପରେ ବାମ ପାଶ୍ୱର୍କୁ ମାଡିଯାଇଥିଲା । ରଥକୁ ପୁଣି ସଠିକ ଦିଗକୁ ଆଣିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା । ସେତେବେଳକୁ ସୂର୍ଯ୍ୟ ଅସ୍ତଗାମୀ ହୋଇ ସାରିଥିଲେ । ରଥ ସଠିକ ଦିଗକୁ ଆସିବା ପରେ ରଥ ଟାଣିବା ପାଇଁ ପ୍ରଶାସନ ତତ୍ପର ହୋଇଥିଲେ ବି ତାହା ସମ୍ଭବ ହୋଇନଥିଲା । କିିନ୍ତୁ ସେବାୟତମାନେ ପ୍ରଶାସନର ଏଭଳି କଥାକୁ ମାନି ନ ଥିଲେ । ସେବାୟତମାନେ କହିଥିଲେ ସୂର୍ଯ୍ୟାସ୍ତ ପରେ ରଥ ଆଉ ଟଣାଯିବାର ବିଧି ନାହିଁ । ପୁଣି ସୂର୍ଯ୍ୟ ଉଦୟ ହେଲେ ରଥ ଟଣା ହେବ । ଏହାକୁ ନେଇ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା । ରଥ ପାଦେ ଆଗକୁ ଗଡିବ ନାହିଁ ବୋଲି ସେବାୟତମାନେ କହିଥିଲେ । ରଥ ଯଥା ଶୀଘ୍ର ଗଡି ସିଂହଦ୍ୱାରରେ ଲାଗିଲେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ବୋଲି ପ୍ରଶାସନ କହିଥିଲା । ପରନ୍ତୁ ପ୍ର୍ରଶାସନର କଥାକୁ ସେବାୟତମାନେ ମାନି ନ ଥିଲେ । ଶେଷରେ ପ୍ରଶାସନର ସ୍ୱର ନୀରବି ଯାଇଥିଲା । ରଥ ଗୋଟିଏ ପାଦ ମଧ୍ୟ ଆଗକୁ ଗଡି ନ ଥିଲା । ବ୍ରହ୍ମତାଳଧ୍ୱଜ ରଥ ବୋଲ ନ ମାନିବାର ବିଭିନ୍ନ କାରଣ ରହିଛି ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନେ କହିଛନ୍ତି । ସେମାନେ କହିଛନ୍ତି ଯାହାଙ୍କର ରଥ ଚାଳନା କରିବାର ଦୀର୍ଘ ଅଭିଜ୍ଞତା ରହିଛି ତାଙ୍କୁ ରଥ ଚାଳନା ଦାୟିତ୍ୱ ଦିଆଯାଉନାହିଁ । ଅନ୍ୟପକ୍ଷରେ ପ୍ରଶାସନର ଅନଭିଜ୍ଞତା ଓ ଅପାରଗତା ଏଥିପାଇଁ ଅନେକାଂଶରେ ଦାୟୀ ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନେ କହିଛନ୍ତି । ଶ୍ରୀଗୁଣ୍ଡିଚା ସମୟରେ ଯେପରି ହୋଇଥିଲା ବାହୁଡ଼ା ସମୟରେ ମଧ୍ୟ ସେହିପରି ହେଲା । ସୂଚନା ଥାଉକି ଗୁଣ୍ଡିଚା ଯାତ୍ରାର ଦ୍ୱିତୀୟ ଦିନରେ ମାଉସୀ ମା ମନ୍ଦିର ଯିବା ଅଭିମୁଖେ ବ୍ରହ୍ମତାଳଧ୍ୱଜ ରଥ ଫୁଟପାଥ ଉପରକୁ ମାଡି ଯାଇଥିଲା । ଫଳରେ ରଥଟଣା ବନ୍ଦ ହୋଇଯାଇଥିଲା । ପାରାଦୀପରୁ ରେଳ ବିଭାଗର ଯନ୍ତ୍ରୀ ଆସିଲେ । ଏଥିସହ ବିଭାଗର ହାଇଡ୍ରୋଲିକ ଜଗ ଆସିଲା । ବହୁ କଷ୍ଟରେ ରାତି ୨ ଟାରେ ରଥ ସଠିକ ଦିଗକୁ ଆସିଲା । ଚତୁର୍ଥ ଦିନ ବ୍ରହ୍ମ ତାଳଧ୍ୱଜ ଟଣା ହୋଇଥିଲା । ଆଶା କରାଯାଉଥିଲା ବାହୁଡାରେ ରଥ ଫେରିବା ବେଳେ କୌଣସି ଅଘଟଣ ଘଟିବ ନାହିଁ । କିନ୍ତୁ ଅଘଟଣର ପୁନରାବୃତ୍ତି ହେଲା । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖା ଦେଇଛି । ଭକ୍ତମାନେ ପ୍ରଶ୍ନ କରିଛନ୍ତି ଶ୍ରୀକ୍ଷେତ୍ରର ରଥଯାତ୍ରାକୁ ଅନୁସରଣ କରି ତୁଳସୀ କ୍ଷେତ୍ରରେ ରଥଯାତ୍ରା କରାଯାଉଛି । ଶ୍ରୀକ୍ଷେତ୍ରରେ ଯଦି ବାହୁଡା ଦିନ ରଥ ଟଣା ଯାଇ ସିଂହଦ୍ୱାରରେ ଲାଗି ପାରୁଛି ତାହା ହେଲେ ତୁଳସୀ କ୍ଷେତ୍ରରେ ତାହା କାହିଁକି ହୋଇପାରୁନାହିଁ । କେତେକ ସେବାୟତମାନଙ୍କ ଆଶା ଠାରୁ ଅଧିକ ଦକ୍ଷିଣା ପାଇବା ନିଶା ଏଥିପାଇଁ ଦାୟୀ ବୋଲି ଭକ୍ତମାନେ କହିଛନ୍ତି ।