ମହାରାଷ୍ଟ୍ର ରାଜନୀତି : ଶିବସେନା ସହିତ ହାତ ମିଳାଇବ କଂଗ୍ରେସ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଚାଲିଥିବା ରାଜନୈତିକ ଛକାପଂଝା ଭିତରେ ଶିବସେନା ପାଇଁ କଂଗ୍ରେସ ଦଳ ଆଶ୍ୱସ୍ତି ଆଣିଛି । ଶିବସେନା ସହିତ ମିଶି ରାଜ୍ୟରେ ସରକାର ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଂଜୁରି ଦେଇଛନ୍ତି । ଏନସିପି ନେତା ମଜିଦ୍ ମେନନ୍ କହିଛନ୍ତି ଯେ ସୋନିଆ ଗାନ୍ଧୀ ଶିବସେନା ସହିତ ମିଶି ସରକାର ଗଠନ ପାଇଁ ପ୍ରସ୍ତାବକୁ ମଂଜୁରି ଦେଇଥିବାରୁ ଏବେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନର ଅବସାନ ଘଟାଇବା ପାଇଁ କଂଗ୍ରେସ-ଏନସିପି-ଶିବସେନା ହାତ ମିଳାଇଛନ୍ତି ଏବଂ ସରକାର ଗଠନ ପ୍ରକ୍ରିୟା ଖୁବ୍ଶୀଘ୍ର ଚୂଡ଼ାନ୍ତ ରୂପ ନେବ ବୋଲି ସେ କହିଛନ୍ତି । ସରକାର ଗଠନ ଆଲୋଚନା ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଏନ୍ସିପି ନେତାଙ୍କ ବୈଠକ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ପୃଥ୍ୱୀରାଜ ଚୌହାନ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ, ଛଗନ ଭୁଜବଳ, ଅଜିତ ପାୱାର ଏବଂ ନୱାମ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏକ ସ୍ଥାୟୀ ସରକାର ଗଠନ ଦିଗରେ ଗୁରୁତ୍ୱାରୋପ କରିଥିଳେ ।
କଂଗ୍ରେସ-ଏନସିପିର ଏହି ବୈଠକ ଉପରେ ମହାରାଷ୍ଟ୍ରରେ ସରକାର ଗଠନର ଭାଗ୍ୟ ନିର୍ଭର କରୁଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ । ସୋନିଆ ଗାନ୍ଧୀ ଶିବସେନା ସହିତ ମେଣ୍ଟ ପାଇଁ ମଂଜୁରି ଦେବା ଏ ଦିଗରେ ଏକ ବଡ଼ ସକାରତ୍ମକ ପଦକ୍ଷେପ ବୋଲି ରାଉତ କହିଛନ୍ତି । ସୋମବାର ଦିନ ପାୱାର ସୋନିଆଙ୍କୁ ଭେଟିବା ପରେ ହିଁ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୩ ଦଳ ମଧ୍ୟରେ ବିବାଦ ଲାଗି ରହିଥିବା ଜଣାପଡ଼ିଛି । ଏନସିପି ଅଢ଼େଇ ବର୍ଷ ଲେଖାଏଁ ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦିଆଯିବାକୁ ସର୍ତ୍ତ ରଖିଥିବା ବେଳେ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ । ଶିବସେନା ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଚାହୁନଥିବା ଜଣାପଡ଼ିଛି ।


