ପାୱାର-ମୋଦୀ ବୈଠକ ନେଇ ରାଜନୀତି ସରଗରମ
ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଏଥିରେ କ୍ଷୁବ୍ଧ ହୋଇଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ତତ୍ପରତା ଜାରି ରହିଥିବା ବେଳେ ଏଭଳି ସମୟରେ ମୋଦୀଙ୍କ ସହ ପାୱାରଙ୍କ ବୈଠକ ଭୁଲ୍ ବୁଝାମଣା ସୃଷ୍ଟି କରିବ ବୋଲି କେତେକ କଂଗ୍ରେସ ନେତା ମତବ୍ୟକ୍ତ କରିଛନ୍ତି । ମହାରାଷ୍ଟ୍ରରେ ଏକ ଅଣ-ବିଜେପି ସରକାର ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଗଠନ ହେବ । ରାଜ୍ୟରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେଲେ ଏହା ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମପି) ଆଧାରରେ କାମ କରିବ । ଯଦି ଶିବସେନା ଏଥିରୁ ଓହରି ପୂର୍ବଭଳି ସାପ୍ରଦାୟିକ କାର୍ଯ୍ୟକ୍ରମ ଆରମ୍ଭ କରିବ, ତା’ହେଲେ ଆମେ ସମର୍ଥନ ପ୍ରତ୍ୟାହାର କରିବୁ ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ମହାରାଷ୍ଟ୍ରର କୃଷକଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ପାୱାର ଭେଟିଥିବା କହିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ମଧ୍ୟ ଆଲୋଚନା ହୋଇଥିବା କଂଗ୍ରେସ ସନ୍ଦେହ କରୁଛି । ପ୍ରଧାନମନ୍ତ୍ରୀଙ୍କୁ ପାୱାର ଭେଟିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ପାୱାର ଏହି ଅବସରରେ ରାଜ୍ୟର କୃଷକଙ୍କ ସମସ୍ୟା ସମାଧାନ ଦିଗରେ ତତ୍ପରତାର ସହ ପଦକ୍ଷେପ ନେବା ଏବଂ କୌଣସି ସର୍ତ୍ତ ନରଖି କୃଷିଋଣ ଛାଡ଼ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ ।


