ଅଟୋରୁ ୫ବସ୍ତା ଗଞ୍ଜେଇ ଜବତ,ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଆର.ଉଦୟଗିରି ପୋଲିସ ଗତକାଲି ଏକ ଅଟୋ ଉପରେ ଚଢାଉ କରି ୫ବସ୍ତା ଗଞ୍ଜେଇକୁ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଆର୍.ଉଦୟଗିରି ଥାନା ଅନ୍ତର୍ଗତ ରଣାଇଲଇ ଠାରୁ ନୂଆଗାଁ ରାସ୍ତା ମଧ୍ୟରେ ଥିବା ଗଡର ଗ୍ରାମ ନିକଟରେ ଏକ ଅଟୋରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ଦ୍ୱାରା ଜବତ ହୋଇଛି । ଆଜି ସକାଳେ ଏକ ଅଟୋରିକ୍ସା ନଂ ଓଡି ୩୨ ୪୫୮୮ ଯୋଗେ ରଣାଇଲଇ ଠାରୁ ନୂଆଗାଁ ଦିଗକୁ ଯାଉଥିବାବେଳେ କୌଣସି ସୂତ୍ରରୁ ପୋଲିସ ସନ୍ଦେହ କରି ଉକ୍ତ ଅଟୋକୁ ଅଟକାଇ ପଚରା ଉଚରା କରିଥିଲା । ଖୋଳତାଡ କରିବା ସମୟରେ ସେଥିରେଥିବା ୫ଗୋଟି ବସ୍ତାରୁ ମୋଟ ୬୦କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ୬୦କିଲୋ ଗଞ୍ଜେଇ ଜବତ କରାଯିବାସହ ଏଥିରେ ସମ୍ପୃକ୍ତି ଅଭିଯୋଗରେ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ମଣ୍ଡଳଙ୍କୁ ଗିରଫ କରାଯାଇଥିବାର ଆର୍.ଉଦୟଗିରି ଏସ୍.ଡି.ପି.ଓ. ଅଶୋକ କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ ।


