ବଜାରରେ ନକଲି ଡିଟରଜେଣ୍ଟ ନେଇ ଜନ ଅସନ୍ତୋଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ନକଲି ଡିଟରଜେଣ୍ଟପାଉଡର । ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ବ୍ଲକ ନିକଟରେ ଖଗେଶ୍ୱର ବେହେରା ନାମକ ଜନୈକ ବ୍ୟକ୍ତି ବ୍ଲକ ଛକରେ ଥିବା ଏକ ଦୋକାନରୁ ଏକ ନାମୀ କମ୍ପାନୀର ଡିଟରଜେଣ୍ଟ ପାଉଡର ପ୍ୟାକେଟ କିଣିଥିଲେ । ଏଥିରେ ବାସନ ସଫା କରିବା ବେଳେ ଜାଣିବାକୁ ପାଇଲେ ଯେ ଏହା ନକଲି ବ୍ରାଣ୍ଡର । ଅସଲି ବ୍ରାଣ୍ଡକୁ ନକଲ କରି ସେଥିରେ ନକଲି ଡିଟରଜେଣ୍ଟ ପୂରାଇ ବିକ୍ରି କରାଯାଉଛି । ଏ ନେଇ ସେ ସଂପୃକ୍ତ ଦୋକାନୀଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଦୋକାନୀ ଜଣକ କହିଥିଲେ ସେ ଏହାକୁ ଅମ୍ବର ମାର୍କେଟ୍ରେ ଥିବା ଏକ ହୋଲସେଲ ଦୋକାନରୁ କିଣିକି ଆଣି ଖୁଚୁରାରେ ବିକ୍ରି କରୁଛନ୍ତି । ତେଣୁ ତାଙ୍କର ଏଥିରେ କିଛି ଦୋଷ ନାହିଁ । ଏହାପରେ ବ୍ୟବସାୟୀ ଜଣକ ଯୋଗାଣ ବିଭାଗକୁ ଫୋନ କରି ଏହି ନକଲି ଜିନିଷ ସମ୍ପର୍କରେ ଯାଞ୍ଚ କରିବାକୁ ନିବେଦନ କରିଥିଲେ । କିନ୍ତୁ ଯୋଗାଣ ବିଭାଗ କହିଲା ଏହା ଆମ ବିଭାଗ ପରିସରଭୁକ୍ତ ନୁହେଁ । ଆମେ ଏହାର ଯାଞ୍ଚ କରି ପାରିବୁ ନାହିଁ । ଯଦି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ନକଲ କରାଯାଇଥାନ୍ତା ତାହା ହେଲେ ଆମେ ଚଢାଉ କରିଥାନ୍ତୁ । ଏହ ପୋଲିସର ଦାୟିତ୍ୱ । ପୋଲିସ ଏହି ଘଟଣାର ତଦନ୍ତ କରିପାରିବ । ଏହାପରେ ବ୍ୟକ୍ତି ଜଣକ ଟାଉନ୍ ଥାନା ପୋଲିସକୁ ଜଣାଇଥିଲେ । ହେଲେ ଟାଉନ୍ ଥାନା ପୋଲିସ କହିଥିଲା ଆମେ କିପରି କହିବୁ ଏହା ଅସଲି କି ନକଲି । ଏ ନେଇ ଆମକୁ ଡିଟରଜେଣ୍ଟ ଏକ୍ସପର୍ଟଙ୍କୁ ଡାକିବାକୁ ପଡିବ । ଯାହା ସ୍ଥଳ ବିଶେଷରେ ସମ୍ଭବ ନୁହେଁ । ଉଭୟ ବିଭାଗରୁ ନିରାଶ ହେବା ପରେ ବ୍ୟକ୍ତି ଜଣକ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ଜଣାଇଥିଲେ । କେନ୍ଦ୍ରାପଡ଼ାରେ ଅନେକ ନକଲି ଜିନିଷ ବିକ୍ରି କରାଯାଉଛି । ହେଲେ ଏହାକୁ ଯାଞ୍ଚ କରାଯାଉ ନ ଥିବାରୁ ଗ୍ରାହକମାନେ ଠକାମୀର ଶିକାର ହେଉଛନ୍ତି । କଟକରେ ଯେଉଁ ଚଢାଉ ହେଉଥିଲା ସେ ସମୟରେ ଏକ୍ସପର୍ଟମାନେ ଉପସ୍ଥିତ ରହି ତାହାକୁ ନକଲି ବୋଲି ପ୍ରମାଣିତ କରୁଥିଲେ । ତେଣୁ ସେଠାରେ ନକଲି ସାମଗ୍ରୀ ଜବତ କରିବା ସମ୍ଭବ ହୋଇଥିଲା । କିନ୍ତୁ ଏଠାରେ ତାହା ଟିକେ କଠିନ କାର୍ଯ୍ୟ ହେବ । କାରଣ ସଂପୃକ୍ତ କମ୍ପାନୀ ଏକ୍ସପର୍ଟଙ୍କୁ ପଠାଇବାରେ ହେଳା କରିପାରେ । ତଥାପି ଆମେ ଏ ନେଇ ଚିନ୍ତା କରୁଛୁ । ଖବୁ ଶୀଘ୍ର ଚଢାଉ କରି ନକଲି ସାମଗ୍ରୀ ବଜାରରୁ ଜବତ କରିବୁ ବୋଲି ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି କହିଛନ୍ତି ।


