ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଥାନାରେ ହେଲା ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ପରିବାର ଲୋକେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସେଠାରୁ କୈାଣସି ନ୍ୟାୟ ମିଳିଲା ନାହିଁ । ତେଣୁ ପରିବାର ଲୋକେ ବାଧ୍ୟହୋଇ ବୁଧବାର ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଘଟଣାର ଅନୁସନ୍ଧାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଖବର ଅନୁଯାୟୀି ସଂପୃକ୍ତ ବିଦ୍ୟାଳୟରେ ସୋମବାର ପରୀକ୍ଷା ଚାଲିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପଛ ବେଞ୍ଚକୁ ଯିବା ପାଇଁ କହିଥିଲେ । ଫଳରେ ଛାତ୍ରୀ ଜଣକ ପଛ ବେଞ୍ଚକୁ ଯାଇଥିଲେ । ଏହି ସମୟରେ ବିଜ୍ଞାନ ଶିକ୍ଷକ ଜଣକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଏ ନେଇ ଛାତ୍ରୀ ଜଣକ ଘରେ କହିବା ପରେ ପରିବାର ଲୋକେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏଥିରେ ପରିବାର ଲୋକେ ସନ୍ତୁଷ୍ଟ ନ ହୋଇ ଥାନାରେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପଚାରିବାରୁ ସେ କହିଲେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ସେ ତଦନ୍ତ କରି ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ବିହୀତ ପଦକ୍ଷେପ ଗ୍ରହଣ କରିବ ।


