କେନାଲ କେବେ ହେବ ପ୍ରଦ୍ୟୁଷଣ ମୁକ୍ତ : ଏନ୍ଜିଟି ଛାଟ ଅପେକ୍ଷାରେ ଗୋବରୀ କେନାଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ଦେଇ ବୋହି ଯାଇଥିବା ଗୋବରୀ ନଦୀ ଜଳ ପ୍ରଦ୍ୟୁଷିତ ହେଉଥିବାରୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) କେନ୍ଦ୍ରାପଡ଼ା ପୌରସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରତି ମାସରେ ପୌରସଂସ୍ଥା ଏକ ଲକ୍ଷ ଟଙ୍କା ଜୋରିମାନା ଦେବ ବୋଲି ଏନ୍ଜିଟି ନିର୍ଦେଶ ଦେଇଛି । ଏପରିକି ଦୁଇ ବର୍ଷ ପିଛିଲା ଭାବେ ୨୪ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଏନ୍ଜିଟି ନିର୍ଦେଶରେ ଉଲ୍ଲେଖ କରିଛି । ଅନୁରୂପ ଭାବେ କେନ୍ଦ୍ରାପଡ଼ା ସହର ଦେଇ ବୋହି ଯାଇଥିବା ଗୋବରୀ କେନାଲ ମଧ୍ୟ ଏବେ ପ୍ରଦ୍ୟୁଷିତ । ଏହି କେନାଲ ଏବେ ଏନ୍ଜିଟି ଛାଟ ଅପେକ୍ଷାରେ ରହିଛି । ଏହି କେନାଲର ଜଳ ଚାଷ କାର୍ଯ୍ୟରେ ବ୍ୟବହୃତ ହୁଏ । ତଳି ଅଞ୍ଚଳର ଲୋକେ ଏହି ଜଳରେ ସ୍ନାନ କରନ୍ତି । ଏଥିସହ ବିଭିନ୍ନ କାର୍ଯ୍ୟ ପାଇଁ ଏହି କେନାଲ ଜଳକୁ ବ୍ୟବହାର କରନ୍ତି । ହେଲେ ଏବେ କେନାଲ ପାଣି ପ୍ରଦ୍ୟୁଷିତ । ଏହାର କାରଣ ହେଉଛି କେନାଲ ଜଳରେ ସହରର ଦୂଷିତ ଜଳ ମିଶୁଛି । ଲୋକେ ଘରର ପାଇଖାନା ପାଣି କେନାଲକୁ ଛାଡୁଛନ୍ତି । ସହରର ଡ୍ରେନ୍ ପାଣି କେତେକ ସ୍ଥାନରେ ଗୋବରୀ କେନାଲରେ ମିଶୁଛି । ସେହିପରି କେନାଲରେ ବର୍ଜ୍ୟବସ୍ତୁ ପକାଯାଉଛି । ଯାହା ଫଳରେ ଗୋବରୀ କେନାଲ ଜଳ ପ୍ରଦ୍ୟୁଷିତ ହେବାରେ ଲାଗିଛି । ଏହି କେନାଲ ଜଳ ଏପରି ପ୍ରଦ୍ୟୁଷିତ ହୋଇଛି ଯେ ଏଥିରେ ସ୍ନାନ କଲେ ଲୋକେ ନିଶ୍ଚିତ ଭାବେ ଚର୍ମ ରୋଗ ସହ ବିଭିନ୍ନ ପ୍ରକାରର ରୋଗରେ ପଡିବେ । ଠିକ ସେହିପରି ଏହି ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଗଲେ ଚାଷ ଉଜୁଡି ଯିବ । ତେଣୁ ଗୋବରୀ କେନାଲ ଜଳ ପ୍ରଦ୍ୟୁଷଣ ମୁକ୍ତ ହେବା ନେଇ ଏନ୍ଜିଟି ଛାଟ ବାଜିବା ପୂର୍ବରୁ ଏହାକୁ ପ୍ରଦ୍ୟୁଷଣମୁକ୍ତ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ଗୋବରୀ କେନାଲ ଜଳ ଚାଷ ଜମିରେ ବ୍ୟବହାର କରାଯାଇଥାଏ । ନିୟମିତ ବ୍ୟବଧାନରେ ଏହି କେନାଲରୁ ଦଳ ସଫା ହେବା ଆବଶ୍ୟକ । କାରଣ ଦଳ ଜମା ହେବାଦ୍ୱାରା ଜଳ ପ୍ରଦ୍ୟୁଷିତ ହେଉଛି । ଏଥିସହ କେନାଲରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ପକାଇ ଏହାର ଜଳକୁ ପ୍ରଦ୍ୟୁଷିତ କରୁଛନ୍ତି । ଏହି ଜଳକୁ ଚାଷ ଜମିରେ ବ୍ୟବହାର କରାଗଲେ ଚାଷ ଭଲ ହେବ ନାହିଁ । ଓଲଟା ଚାଷ ଜମିର ଉର୍ବରତା ନଷ୍ଟ ହୋଇଯିବାର ମଧ୍ୟ ଆଶଙ୍କା ରହିଛି । ଏହାକୁ ହୃଦୟଙ୍ଗମ କରି ଉଚ୍ଚ କର୍ତ୍ତୃପକ୍ଷ ଗୋବରୀ କେନାଲ ଜଳକୁ ପ୍ରଦ୍ୟୁଷଣମୁକ୍ତ କରନ୍ତୁ । ପ୍ରକାଶ ଥାଉକି ଏହି କେନାଲକୁ ପ୍ରଦ୍ୟୁଷଣ ମୁକ୍ତ କରି ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପ୍ରାୟ ୬ ମାସ ତଳେ ବିଧାୟକ ଶଶୀଭୂଷଣ ବେହେରା ଗୋବରୀ କେନାଲ ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ ପାଇଁ ଭିତ୍ତଭୂମି ପକାଇଥିଲେ । କିନ୍ତୁ ତାହା ଏବେ ଶୀତଳ ଭଣ୍ଡାରରେ ପଡି ରହି ଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ନବୀକରଣ ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରୁ ସେ କହିଲେ ଏଗ୍ରିମେଣ୍ଟ କରାଯାଇଛି । ଠିକାଦାର ଶିବ ପ୍ରସାଦ ପରିଡ଼ା ଏହି କାର୍ଯ୍ୟ କରିବେ ବୋଲି ଚୁକ୍ତି କରିଛନ୍ତି । ଆସନ୍ତା ଖରିଫ ଋତୁ ପରେ ଗୋବରୀ କେନାଲର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ।


