ଖବରକାଗଜ ବିତରକଙ୍କୁ ରେନ୍ କୋଟ୍ ବାଣ୍ଟିଲେ କାର୍ଯ୍ୟରତ ସାମ୍ବାଦିକ
ପାରାଦୀପ, (ପୀତବାସ ପ୍ରଧାନ) :-ପ୍ରତିଦିନ ପାରାଦୀପର ବିଭିନ୍ନ କଲୋନୀ,ବସ୍ତି,ମାର୍କେଟ ଆଦି ସ୍ଥାନରେ ରହୁଥିବା ଲୋକମାନଙ୍କୁ ସକାଳୁ ଖବରକାଗଜ ପହଂଚାଇଥାନ୍ତି ଖବରକାଗଜ ବିତରକାମାନେ । ବର୍ଷା,ପବନ,ଖରାକୁ ଖାତିର ନକରି ସେମାନେ ଖବରକାଗଜକୁ ଅତି ଯତ୍ନର ସହିତ ବିତରଣ କରିଥାନ୍ତି । ଗତ କିଛି ଦିନ ଧରି ଲଗାଣ ବର୍ଷା ରେ ବି ପାରାଦୀପର ଖବରକାଗଜ ବିତରକମାନେ ଅତି ନିଷ୍ଠାପର ଭାବେ ଖବରକାଗଜ ବିତରଣରୁ ବରିତ ନେଇନାହାନ୍ତି । ସେମାନେ ବର୍ଷାରେ ଓଦା ହୋଇ ଖବର କାଗଜ କୁ ବିତରଣ କରୁଥିବା ଦେଖି ସେମାନଙ୍କୁ ରେନ୍ କୋଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକ । ଏହି ପରିପ୍ରେକ୍ଷିରେ ପାରାଦୀପ ବଡପଡିଆ ଥାନା ନିକଟସ୍ଥ ପ୍ରେସ୍ ଛକ ନିକଟରେ ଶୁକ୍ରବାର ଦିନ ସକାଳେ ପାରାଦୀପର ଖବରକାଗଜ ବିତରକମାନଙ୍କୁ କାର୍ଯ୍ୟରତ ସାମ୍ବାଦିକମାନେ ନିଜସ୍ୱ ଉଦ୍ୟମରେ ରେନ୍ କୋଟ୍ ପ୍ରଦାନ କରାଯାଇଥିଲା । ପାରାଦୀପର ପୌରପାଳ ବସନ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖବରକାଗଜ ବିତରକମାନଙ୍କୁ ରେନ୍ କୋଟ୍ ବଣ୍ଟନ କରିଥିଲେ । ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟରତ ସାମ୍ବାଦିକମାନଙ୍କର ଏହି ମହାନ କାର୍ଯ୍ୟକୁ ପାରାଦୀପର ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରିଛନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।


