ପତ୍ନୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ୱାମୀ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପତ୍ନୀର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ସ୍ୱାମୀକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ପ୍ରଶାନ୍ତ ପ୍ରଧାନ । ଅଭିଯୁକ୍ତ ସ୍ୱାମୀର ଘର ମହାକାଳପଡ଼ା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମରେ । ପ୍ରଶାନ୍ତ ବନ ବିଭାଗରେ ଚାକିରି କରୁଛନ୍ତି ବୋଲି କହି ବିବାହ କରିଥିଲେ । କିନ୍ତୁ ପତ୍ନୀ ଜାଣିବାକୁ ପାଇଥିଲେ ଯେ ସେ ଯେଉଁ ଚାକିରି କହି ବିବାହ କରିଛନ୍ତି ପ୍ରକୃତରେ ସେ ସେହି ଚାକିରି କରି ନାହାଁନ୍ତି । ବାଧ୍ୟହୋଇ ପତ୍ନୀ ଶାଶୁ ଘରେ ରହିଥିଲେ । ଗତ କିଛି ଦିନ ଧରି ପତ୍ନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ପ୍ରଶାନ୍ତ । ଏଥିସହ ପିଲାମାନଙ୍କୁ ମଧ୍ୟ ମାରଧର କରୁଥିଲେ । ବାଧ୍ୟହୋଇ ପତ୍ନୀ କେନ୍ଦ୍ରାପଡା ସହରର ଗୋପରେ ପିଲାଙ୍କୁ ଧରି ଏକ ଭଡ଼ା ଘରେ ରହିଥିଲେ । କିନ୍ତୁ ପ୍ରଶାନ୍ତ ଗୋପସ୍ଥିତ ଭଡ଼ା ଘରକୁ ଯାଇ ପିଲାଙ୍କୁ ମାରଧର କରିବା ସହ ପତ୍ନୀଙ୍କୁ ମଧ୍ୟ ମାରଧର କରିଥିଲେ । ଏହାକୁ ବିରୋଧ କରିବାରୁ ପତ୍ନୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଫଳରେ ପତ୍ନୀ ଏ ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଗତ ଜୁଲାଇମାସ ୨ ତାରିଖରେ ୧୧୯/୨୦୨୨ରେ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଥିଲା । ଶୁକ୍ରବାର ତାଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଏ ସମ୍ପର୍କରେ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି ଯେ ପତ୍ନୀଙ୍କ ଅଭିଯୋଗ ଆଧାରରେ ସ୍ୱାମୀଙ୍କୁ ଗିରଫ କରାଯାଇଛି ।


