ଗଞ୍ଜାମ ଗସ୍ତରେ ଓଡିଶା ରାଜ୍ୟ ଅନଗ୍ରସର ଶ୍ରେଣୀ କମିଶନର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶା ରାଜ୍ୟ ଅନଗ୍ରସର ଶ୍ରେଣୀ କମିସନର ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଦୁଇଦିନିଆ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଛନ୍ତି । ଆଜି ଛତ୍ରପୁର ସ୍ଥିତ ସର୍କିଟ ଗୃହ ଠାରେ କମିସନର ଜଷ୍ଟିସ୍ ଶ୍ରୀ ବିଶ୍ୱାଳ ଏକ ଅଭିଯୋଗ ଶୁଣାଣିର ଆୟୋଜନ କରି ଗଞ୍ଜାମ ଜିଲ୍ଲାରେ ବସବାସ କରୁଥିବା ଲିଆରୀ, ଚୁଡିତିଆ, ନିଆରି ଓ ବସନ୍ତିଆ ଜାତିର ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକୁ ଶୁଣିଥିଲେ । ଏହି ବର୍ଗର ଜନସାଧାରଣ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ସୁବିଧା ଅସୁବିଧାରୁ ବଞ୍ଚିତ ରହୁଥିବା ବେଳେ ସେମାନଙ୍କୁ ପଛୁଆବର୍ଗ ଜାତିରେ ଅନ୍ତର୍ଭୁକ୍ତ କରାଗଲେ ଉକ୍ତ ସୁବିଧା ପାଇପାରିବେ ବୋଲି ନିବେଦନ କରିଥିଲେ । ଉପରୋକ୍ତ ଜାତି ବର୍ଗର ପିଲାଙ୍କ ଶିକ୍ଷାଦାନ ଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ମଧ୍ୟ ସରକାରଙ୍କ ପଛୁଆବର୍ଗ ସଂରକ୍ଷଣରେ ସ୍ଥାନ ପାଇପାରିବେ । ଏଣୁ ପୂର୍ବରୁ ଦାବି କରି ଆସୁଥିବା ଆମ୍ଭ ଜାତି ବର୍ଗକୁ ପଛୁଆବର୍ଗ ଜାତିରେ ସାମିଲ କରିବା ପାଇଁ ଲିଆରୀ, ଚୁଡୁତିଆ, ନିଆରି ଓ ବସନ୍ତିଆ ଜାତିର ପ୍ରତିନିଧିମାନେ ସେମାନଙ୍କ ଲିଖିତ ପତ୍ର ସହ ଅଭିଯୋଗ ରାଜ୍ୟ ଅନଗ୍ରସର ଶ୍ରେଣୀ କମିସନରଙ୍କ ନିକଟରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନଗ୍ରସର ଶ୍ରେଣୀର ସଦସ୍ୟା ନବନିତା ରଥ, ମିତାଲି ଚିନ୍ନାରା, ସଦସ୍ୟ ପ୍ରସନ୍ନ କୁମାର ପାତ୍ର, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧିମାନଙ୍କ ଅଭିଯୋଗ ଓ ଦାବି ପତ୍ର ଗୁଡିକୁ ଗ୍ରହଣ କରିଥିଲେ ।


