ବିବାଦୀୟ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପୁରାଇ ଦେଲେନି : ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ
ହାଟଡିହି, (ବିକାଶ ବିଶ୍ୱାଳ ) :ବିବାଦୀୟ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପୁରାଇ ଦେଇ ନାହାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏପରି ଘଟଣା ଦେଖିବାକୁ ମିଳିଛି ଅକରୁଆ ପଞ୍ଚାୟତର ଭାତକରୁଆ ସ୍କୁଲରେ । ସୁଚନାରୁ ଜଣାଯାଇଛି ଯେ ଭାତକରୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ନିୟମିତ ଶିକ୍ଷକ ଓ ଜଣେ ଡେପୁଟେସନ ଶିକ୍ଷକ ରହି ଶିକ୍ଷାଦାନ କରୁଛନ୍ତି । ଦୀର୍ଘ ୭ମାସ ହେଲା ବିଇଓଙ୍କ କାର୍ଯ୍ୟାଳୟରେ ବସି ରହିଥିବା ଶିକ୍ଷୟତ୍ରୀ ମୀନା ସାମଲଙ୍କୁ ଏଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବାକୁ ବିଇଓଙ୍କ କାର୍ଯ୍ୟାଳୟ ରୁ ନିଦେ୍ର୍ଦଶ ଦିଆଯାଇଥିଲା । ସେହିଅନୁସାରେ ଗତକାଲି ଶିକ୍ଷୟତ୍ରୀ ମୀନା ସାମଲ ଯାଇ କାର୍ଯ୍ୟରେ ଯୋଗଦେଇଥିଲେ । ଆଜି ଶନିବାର ଥିବାରୁ ସକାଳ ୭ଟାବେଳେ ଶିକ୍ଷୟତ୍ରୀ ଜଣକ ଶିକ୍ଷାଦାନ କରିବାକୁ ଯାଇଥିବାବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଫାଟକରେ ତାଲା ପକାଇ ସ୍କୁଲ ସମ୍ମୁଖରେ ସମ୍ମୁଖରେ ଧାରଣା ରେ ବସିଥିଲେ । ଆମର ଏପରି ଶିକ୍ଷୟତ୍ରୀ ଦରକାର ନାହିଁ, ଆମର ଯେଉଁ ଦୁଇଜଣ ଶିକ୍ଷକ ଅଛନ୍ତି ସେମାନେ ଥାଆନ୍ତୁ ଓ ଆଉ ଜଣେ ଭଲ ଶିକ୍ଷକ ଦିଅ, ଆମର ଏପରି ଶିକ୍ଷକ ଦରକାର ନାହିଁ ବୋଲି କହି ପ୍ରଧାନଶିକ୍ଷୟତ୍ରୀଙ୍କୁ ବିରୋଧ କରିବାରୁ ସେ ଫେରି ଆସିଥିଲେ । ପରେ ଅଭିଭାବକମାନେ ବିଇଓଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ବଳଭଦ୍ରପୁର ସ୍କୁଲରେ ଶିକ୍ଷାଦାନ କରୁଥିବାବେଳେ ପଦୋନ୍ନତୀ ପାଇ ଆଡହୁରିଆ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତିପତ୍ର ପାଇଥିଲେ । ମାତ୍ର କାର୍ଯ୍ୟରେ ଯୋଗଦେବାକୁ ଯାଇଥିବାବେଳେ ଆଡହୁରିଆ ଗ୍ରାମବାସୀ ମାନେ ତାଙ୍କୁ ବିଦ୍ୟାଳୟକୁ ପୁରାଇ ଦେଇ ନଥିଲେ । ତା ପରେ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବଳଭଦ୍ରପୁର ସ୍କୁଲରେ ଜଏନ କରିବାକୁ ନିଦେ୍ର୍ଦଶ ହୋଇଥିଲା । କିନ୍ତୁ ସେଠାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା । ବଳଭଦ୍ରପୁର ଗ୍ରାମବାସୀ ସ ଅଭିଭାବକମାନେ ତାଙ୍କ ନିଯୁକ୍ତିକୁ ବିରୋଧକରି ସ୍କୁଲ ସମ୍ମୁଖରେ ବସିଥିଲେ । ପରେ ପୁଣି ତାଙ୍କୁ ବିରିଡି ପ୍ରାଥମିକ ବିଦ୍ୟାଳୟକୁ ଦିଆଗଲା, ମାତ୍ର ସେଠାରେ ମଧ୍ୟ ଗାଁ ଲୋକେ ତାଙ୍କ ନିଯୁକ୍ତିକୁ ବିରୋଧ କରି ଫେରାଇ ଦେଇଥିଲେ । ସେହିଦିନ ଠାରୁ ଆଜକୁ ୭ମାସ ହେଲା ଶିକ୍ଷୟତ୍ରୀ ଜଣକ ବିଇଓଙ୍କ କାର୍ଯ୍ୟାଳୟରେ ବସି ବସି ଦରମା ନେଉଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରଅକାଶ ପାଇବାପରେ ଗତ କାଲି ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଭାତକରୁଆ ସ୍କୁଲରେ ଯୋଗଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ବିଇଓ ଆସି ନାହାନ୍ତି, ସୋମବାର ଆସିଲେ ଏନେଇ କଣ ପଦକ୍ଷେପ ନିଆଯିବ ସେନେଇ ନିଷ୍ପତି ନେବେ ବୋଲି ସୁଚନା ଦେଇଛନ୍ତି ।