ପଞ୍ଚମ ଗୀତାଞ୍ଜଳୀ ପ୍ରତିଭା ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଟେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପଞ୍ଚମ ଗୀତାଞ୍ଜଳୀ ପ୍ରତିଭା ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଥିଲେ ଯେ, ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ଯେଉଁଭଳି ଭାବେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରୁଛି ତାହା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ । ବିଶେଷକରି ଛାତ୍ରଛାତ୍ରୀମାନେ କିପରି ଭଲ ପାଠ ପଢି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେ ନେଇ ନିଜକୁ ପ୍ରସ୍ତୁତ କରିବେ । ସେହିପରି ଶିକ୍ଷକ ଶିିକ୍ଷୟିତ୍ରୀମାନେ ଉନ୍ନତମାନର ଶିକ୍ଷଦାନ ପାଇଁ ପ୍ରୟାସ କରିବେ ଏବଂ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ଯୋଗାଇ ଦେଇ ଆଦର୍ଶ ବିଦ୍ୟାଳୟର ମାନ୍ୟତା ପାଇବେ ସେ ନେଇ ପ୍ରୟାସ ଜାରି ରଖିବେ । ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ଯୋଗଦେଇ ଟ୍ରଷ୍ଟର ଏଭଳି ନିଆରା ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଉଦ୍ୟମ କରି ଭଲ ପାଠ ପଢିବାକୁ ପରାମର୍ଶ ଦେଇ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଚଳିତବର୍ଷ ମେଟ୍ରିକ ପରୀକ୍ଷାରେ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ୩୧ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଉନ୍ନତମାନର ଶିକ୍ଷାଦାନ ପାଇଁ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଦର୍ଶ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ୬ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମିଶ୍ର, ସମ୍ବାଦର ମୁଖ୍ୟ ରିପୋର୍ଟର ଚୌଧୁରୀ ଅମିତାଭ ଦାସ, ସମାଜସେବୀ ନାରାୟଣ ମହାପାତ୍ର, ଉମାଦେଈ ବ୍ରହ୍ମପୁରର ସରପଞ୍ଚ ରମାଲତା ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା, ସମାଜସେବୀ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ଓ ଶିକ୍ଷାବିତ୍ ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ଦୀନବନ୍ଧୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ଏବଂ ସମାଜସେବୀ ଲକ୍ଷ୍ମଣ ଜେନା ପରିଚାଳନାରେ ସହଯୋଗ କରିଥିଲେ ।


