ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ତିନି ଦିଅଁଙ୍କ ପାଇଁ ପାଟ ରାକ୍ଷୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀକ୍ଷେତ୍ରର ବଡଠାକୁର ତଥା ବଡଭାଇ ଶ୍ରବଳଦେବଜୀଉଙ୍କ ପାଇଁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା ବିକାଶ ପରିଷଦର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୩ଟି ରାକ୍ଷୀ ସହ କେନ୍ଦ୍ରାପଡାର ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରୁ ଏହି ପ୍ରତିନିଧିଦଳଙ୍କୁ ୨ଟି ଗାଡିରେ ସଂକୀର୍ତ୍ତନ ମଣ୍ଡଳୀ ଓ ଶ୍ରୀଜୀଉଙ୍କ ଶ୍ରଦ୍ଧାଳୁମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସକୁ ପାଛୋଟି ନେଇଥିଲେ । ତିନିମୁହାଣୀରୁ କେନ୍ଦ୍ରାପଡା ସହର ମଧ୍ୟ ଦେଇ ଏହି ଶୋଭାଯାତ୍ରା ଯିବା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ରାକ୍ଷୀକୁ ଦର୍ଶନ କରିବା ପାଇଁ ଛିଡା ହୋଇଥିବା ଶତାଧିକ ଶ୍ରଦ୍ଧାଳୁ, ଭକ୍ତ ଓ ଜନତାଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ସହର । ସନ୍ଧ୍ୟାରେ ଯାତ୍ରୀ ନିବାସରୁ ସେହି ରାକ୍ଷୀକୁ ଶ୍ରୀବଳଦେବଜୀୟୁଙ୍କ ମନ୍ଦିରକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ମନ୍ଦିର ବାହାରେ ଟ୍ରଷ୍ଟବୋର୍ଡର ସଭ୍ୟ ଏବଂ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ଜୀଉଙ୍କ ମନ୍ଦିର ବଡ ପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କୁ ରାକ୍ଷୀ ତିନୋଟିକୁ ହସ୍ତାନ୍ତର କରାଯାଇ ସେହି ରାକ୍ଷୀ ଗୁଡିକୁ ମନ୍ଦିର ଭଣ୍ଡାର ଗୃହରେ ରଖାଯାଇଥିଲା । ଆସନ୍ତ ଗହ୍ମାପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିବସ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉମାନଙ୍କୁ ରାକ୍ଷୀ ଗୁଡିକ ପିନ୍ଧାଇ ଦିଆଯିବ । ଉକ୍ତ ପାଟରାକ୍ଷୀ ହସ୍ତାନ୍ତର ପାଇଁ ଆସିଥିବା ପ୍ରତିନିଧିଙ୍କ ମଧ୍ୟରେ ଗରାବଡୁ ସେବାୟତ ରବିନାରାୟଣ ମହାପାତ୍ର, ସର୍ବ ଭାରତୀୟ ପାଟରା ବିକାଶ ପରିଷଦ ସଭାପତି ଦୁର୍ଯ୍ୟୋଧନ ସାହୁ, ଉପଦେଷ୍ଟା ଆଶୀଷ କୁମାର ସାହୁ, ମାନସ ରଞ୍ଜନ ଦଳାଇ, ସରୋଜ କୁମାର ପାତ୍ର, କାର୍ଯ୍ୟକ୍ରମର ପୃଷ୍ଟପୋଷକ ସୁରେଶ କୁମାର ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୈାରାଧ୍ୟକ୍ଷା ସରିତା ସାହୁ, ସମବାୟବିତ ପ୍ରମୋଦ ସାହୁ, କାଉନସିଲର କାଳି ପ୍ରସାଦ ମିଶ୍ର, ଟ୍ରଷ୍ଟବୋର୍ଡ ସଭ୍ୟ ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି,ଶକ୍ତିକାନ୍ତ ପାତ୍ର, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ମନ୍ଦିରର ସେବାୟତମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ