ଅଜିତ ବିଶ୍ୱାସଘାତକ : ଶିବସେନା
ମୁମ୍ବାଇ: ମହାରାଷ୍ଟ୍ରରେ ମହାନାଟକର ଯବନିକା ପଡ଼ିବା ପରେ ମୁଣ୍ଡ ଚକ୍କର ଖାଇଛି ଶିବସେନାର । ଶିବସେନା ନେତା ସଞ୍ଜୟ ରାଉତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଅଜିତ ବିଶ୍ୱାସଘାତକ । ଶୁକ୍ରବାର ରାତି ନଅଟା ଯାଏ ଅଜିତ ପାୱାର ଆମ ସହ ଥିଲେ । ଅଚାନକ କିନ୍ତୁ ସେ ଗାଏବ ହୋଇଯାଇଥିଲେ । ସେହିପରି କଂଗ୍ରେସ ନେତା ଅଭିଷେକ ସିଂହଭୀ କହିଛନ୍ତି, “ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବା ଖବରକୁ ମୁଁ ଫେକ୍ ନ୍ୟୁଜ୍ ବୋଲି ଭାବୁଥିଲି । ପାୱାରଜି ଆପଣ ମହାନ (ପାୱାର ଜି ତୁସି ଗ୍ରେଟ୍ ହୋ) ବୋଲି ଏହି କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି । ପ୍ରକାଶ ଯେ, ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ନେତୃତ୍ୱରେ ସରକାର ଗଢ଼ିବାର ଥିଲା । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥାନ୍ତେ ତିନି ଦଳ । ଏହା ପୂର୍ବରୁ ସଞ୍ଜୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ । ବିଜେପିର ନା ନନେଇ କହିଥିଲେ, “ସରକାର ଗଢ଼ିବା ନେଇ ଶିବସେନାର ପ୍ରୟାସ ଉପରେ ସମସ୍ତେ ହସୁଥିଲେ । ଏବେ ସିଏ ଇତିହାସ ରଚିବାକୁ ଯାଉଛି’ । ତେବେ ରାଜ୍ୟରେ ସରକାର ଗଢ଼ିବା ନେଇ ଶିବସେନା ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ଏବେ ଏକ ପ୍ରକାର ରୋକ୍ ଲାଗିଛି । ସଞ୍ଜୟଙ୍କ ଏହି ଟୁଇଟର ଠିକ୍ ଘଣ୍ଟାଏ ପରେ ମହାରାଷ୍ଟ୍ର ରାଜନୀତି ହଠାତ୍ ନୂଆ ମାଡ଼ ନେଇଥିଲା । ରାଜ୍ୟପାଳ ଭଗତ ସିଂହ କାଶିଆରୀଙ୍କ ଉପସ୍ଥିତିରେ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ତେବେ ବିଜେପି ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଏହା ଅଜିତ ପାୱାରଙ୍କର ବ୍ୟକ୍ତିଗତ ମତ । ଏହା ଦଳର ନୁହେଁ । ବିଜେପି ସହ ମେଣ୍ଟକୁ ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ଦଳ ସମର୍ଥନ କରୁନାହିଁ ବୋଲି ସେ କହିଛନ୍ତି ।


