ସାର ର କଳାବଜାରୀ ରୋକିବା ନିମନ୍ତେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା):ସାରର କଳାବଜାରୀ ରୋକିବା ନିମନ୍ତେ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୁଲ୍ୟାରୟତ ମହାସଭା ପକ୍ଷରୁ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଧାନ ରୁଆ କାମ ପ୍ରାୟ ୯୦ ଭାଗ ଜମିରେ ହୋଇ ସାରିଲାଣି । ଏହି ସମୟରେ ୟୁରିଆ ଓ ଗ୍ରୋମର ଆଦି ସାରର ଘୋର ଅଭାବ ଦେଖାଦେଇଛନି । ଜିଲ୍ଲାର ବହୁ ସମବାୟ ସମିତିରେ ସାର ନଥିବା ସୁଯୋଗ ନେଇ ବ୍ୟାପାରୀ ଓ ଡିଲର ମାନେ କଳାବଜାରୀ କରୁଛନ୍ତି । ୟୁରିଆ ସାର ୨୬୭.୫୦ ପଇସା ଥିବା ବେଳେ ୪୫୦ ଟଙ୍କା ଓ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ସେହିପରି ଗ୍ରୋମର ସାର ବସ୍ତା ୧୮୦୦ ଟଙ୍କାରେ ବିକ୍ରି କରି ଚାଷୀଙ୍କୁ ଠକୁଛନ୍ତି । ଜିଲ୍ଲାକୁ ଆସୁଥିବା ସାର ଯୋଗାଣ ମଧ୍ୟରୁ ସମବାୟ ସମିତି ମାନଙ୍କୁ ୩୦ ଭାଗ ସାର ଦିଆଯାଉଥିବା ବେଳେ ବଳକା ୭୦ ଭାଗ ଡିଲର ମାନଙ୍କୁ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଏଣୁ ଏହାର ତଦନ୍ତ କରି ସାରର କଳାବଜାର ରୋକିବା ସହିତ ଚାଷୀ ମାନଙ୍କୁ ସୁଲଭ ଦରରେ ବିଭିନ୍ନ ପ୍ରକାର ସାର ପ୍ରଦାନ କରିବା ନିମନ୍ତେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବୀ ହୋଇଛି ବୋଲି ଏକ ପ୍ରେସ ରିଲିଜ ଦ୍ୱାରା ସମ୍ପାଦକ ସିମାଂଚଳ ନାହାକ ଜଣାଇଛନ୍ତି ।


