ପ୍ରଭୁଙ୍କ ମୃଣ୍ମୟ ମୂର୍ତ୍ତିରେ ଶିଳ୍ପୀଙ୍କ ଶେଷସ୍ପର୍ଶ

ବାଲେଶ୍ୱର, (ସରୋଜ ପଣ୍ଡା):ବିଘ୍ନ ବିନାଶକ ଆଦ୍ୟପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜାକୁ ଆଉମାତ୍ର ଦିନଟିଏ ଥିବା ବେଳେ ସହରଠାରୁ ପୁରପଲୀ ପର୍ଯ୍ୟନ୍ତ ହୋଇ ଉଠିଛି ଚଳଚଞ୍ଚଳ । ଆସନ୍ତା ୩୧ ତାରିଖରେ ହେଉଥିବା ବିଦ୍ୟାଦାତା ଗଣପତିଙ୍କ ପୂଜା ପାଇଁ ସ୍କୁଲ କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନ ସମେତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଏମିତିକି ବିଭିନ୍ନ କ୍ଲବ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଇଲେକ୍ଟ୍ରିକ ମିସ୍ତ୍ରୀ ଓ କନା ଡେକୋରେଟରମାନେ ପୂଜା ମଣ୍ଡପ ତଥା ତରୋଣ ନିର୍ମାଣରେ ଦିନରାତି ଏକ କରି ଦେଇଥିବା ବେଳେ ଶିଳ୍ପୀମାନେ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ଘରୋଇ, ଶିକ୍ଷାନୁଷ୍ଠାନ ପୂଜା ପ୍ରସ୍ତୁତି ଠାରୁ ବିଭିନ୍ନ କ୍ଳବର ମଣ୍ଡପ ପ୍ରସ୍ତୁତି ଏକ ପ୍ରକାର ପ୍ରତିିଯୋଗିତା ଭିତ୍ତିରେ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ବାଲେଶ୍ୱର ସହରରେ ୫୦ରୁ ଊର୍ଦ୍ଧ୍ୱ କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଆଧୁନିକ ଡିଜାଇନର ଲମ୍ବୋଦରଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବାକୁ ଯାଉଥିବା ବେଳେ ଅଧିକାଂଶ ମଣ୍ଡପ ଓ ତରୋଣ ମୁମ୍ବାଇ ମଡେଲରେ ନିର୍ମାଣ ତିଆରି ଚାଲିଥିବା ଦେଖିବାକୁ ମିଳିଛି । ତେବେ ପାଣିଟାଙ୍କି ଛକଠାରୁ ଚିଡ଼ିଆ ପୋଲ ପର୍ଯ୍ୟନ୍ତ ବିଶେଷ କରି କନଭେଂଟ ସ୍କୁଲ ସମ୍ମୁଖ ରାସ୍ତାପାଶ୍ୱର୍ ୩୮ରୁ ଅଧିକ କ୍ଲବଙ୍କ ଗଣେଶ ପୂଜା ବାଲେଶ୍ୱର ସହର ପାଇଁ ସର୍ବଦା ଗୁରୁତ୍ୱ ରଖିଆସିଛି । ପ୍ରଶାସନ ପକ୍ଷରୁ ଘୋଷିତ ଏହି ସାଇଲେନ୍ସ ଜୋନ ଅଞ୍ଚଳରେ ହେଉଥିବା ପୂଜାରେ ସାଉଣ୍ଡ ସିଷ୍ଟମକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ମାତ୍ର ବିଭିନ୍ନ ମଡେଲର ମୂର୍ତ୍ତି ଦେଖିବାକୁ ପ୍ରତିବର୍ଷ ଭିଡ଼ ହୋଇଥାଏ । କ୍ଲବ ଗୁଡ଼ିକର ବଡ଼ ବଡ଼ ଡିଜାଇନ ମୂର୍ତ୍ତି ଓ ଆକର୍ଷଣୀୟ ସାଜସଜା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ମହାମାରୀ କରୋନା କଟକଣା ପାଇଁ ଦୀର୍ଘ ୨ବର୍ଷ ଧରି ବିଧି ରକ୍ଷାରେ ଚାଲିଥିବା ପୂଜା ଏଥର ବେଶ ଧୁମଧାମରେ ହେବ ବୋଲି ସବୁ ମହଲରୁ ଆଶା ପ୍ରକାଶ ପାଇଛି । ଏନେଇ ଛାତ୍ରଛାତ୍ରୀ, କ୍ଲବ କର୍ମକର୍ତ୍ତା, ଡେକୋରେଟର ଏମିତିକି ମୂର୍ତ୍ତିକାରମାନେ ଉତ୍ସାହ ଉଦ୍ଦୀପନାରେ ପ୍ରସ୍ତୁତି ଜାରି ରଖିଛନ୍ତି । କରୋନା କଟକଣା ହଟିଯାଇଥିବାରୁ ଚଳିତ ବର୍ଷ ପୂଜା ପାଇଁ ମୂର୍ତ୍ତିକାରମାନେ ଦୀର୍ଘ ମାସେ ଧରି ଗଣେଶ ମୂର୍ତ୍ତି ତିଆରି କରିବାରରେ ଲାଗିଛନ୍ତି । ଅନୁଷ୍ଠାନ ମାନଙ୍କର ଅର୍ଡ଼ର ସାଙ୍ଗକୁ ସାଧାରଣତଃ ବିକ୍ରି ପାଇଁ ସେମାନେ ମୂର୍ତ୍ତି ତିଆରି କରିଥିବା କହିଛନ୍ତି । ଚଳିତ ବର୍ଷ ହଜାରେ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ମୂର୍ତ୍ତି ବିକ୍ରି ହେଉଥିବା ମୂର୍ତ୍ତିକାରମାନେ କହିଛନ୍ତି । ତେବେ ଯଦି ଅନୁକୂଳ ପାଗ ରହିବ ତାହାଲେ ଚଳିତ ବର୍ଷର ଗଣେଶ ପୂଜା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହେବ ବିଭିନ୍ନ କ୍ଲବର କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳାର ସହ ପୂଜା କରିବା ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ଲବର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜା ଆୟୋଜନଠାରୁ ଭସାଣି ଉତ୍ସବ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ବି ଜାରି ହୋଇଛି । ଏଥିରେ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାନୀ ମଧ୍ୟ ଦିଆଯାଇଛି । ତେବେ ଦୀର୍ଘ ଦୁଇବର୍ଷର କରୋନା ବିରତି ପରେ ବାଲେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ପ୍ରଭୁ ଗଜାନନଙ୍କ ଚଳିତ ପୂଜା ବେଶ ଆକର୍ଷଣୀୟ ହେବ ବୋଲି ସବୁ ମହଲରୁ ଆଶା ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ