ଡକାୟତ କୋର୍ଟ ଚାଲାଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଜଣେ ରାଜପଥ ଲୁଟେରାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ମଧୁସ୍ମିତା ନାୟକ ନାମକ ଜଣେ ମହିଳା ତାଙ୍କ ଭାଇଙ୍କ ସାଙ୍ଗରେ ଭଦ୍ରକ ପଟୁ ପାଣିକୋଇଲି ଅଭିମୁଖେ ମୋଟରସାଇକେଲ ଯୋଗେ ଆସୁଥିଲେ। ଏହି ସମୟରେ ଜାତୀୟ ରାଜପଥର ଛତାବର ଠାରେ ଦୁଇଜଣ ଡକାୟତ ମହିଳାଙ୍କ ବେକରୁ ସୁନାହାର ଲୁଟିନେଇ ଫେରାର ହୋଇଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ପାଇ ଥାନା ଅଧିକାରୀ ଅମିତାଭ ଦାସ ତତ୍କ୍ଷଣାତ ରାଜପଥ ସହିତ ସଂଯୁକ୍ତ ସମସ୍ତ ରାସ୍ତାକୁ ସିଲ କରିଥିଲେ। ଡକାୟତ ଦୁହେଁ ମୋଟର ସାଇକେଲ ଯୋଗେ ମଞ୍ଜୁରୀରୋଡ଼ ଆଡକୁ ଯାଉଥିବା ବେଳେ ଭାଗଡା ନିକଟରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କୌଶଳକ୍ରମେ ସେଠାରୁ ଜଣେ ଖସି ଯାଇଥିବା ବେଳେ ଅନ୍ୟଜଣେ ଡକାୟତକୁ ଧରି ଗ୍ରାମବାସୀ ମାନେ ପୁଲିସ ଜିମା ଦେଇଥିଲେ। ଥାନା ପକ୍ଷରୁ ଅଜୟ କୁମାର ସାହୁ ନାମକ ଜଣେ ଡକାୟତ ଗିରଫ ହୋଇଥିବା ବେଳେ ସେ ବ୍ୟବହାର କରିଥିବା ଓଡ଼ି ୩୪ଵି୪୭୧୧ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି।ଗିରଫ ହୋଇଥିବା ରାଜପଥ ଲୁଟେରାଙ୍କ ଘର ପାଣିକୋଇଲି ଥାନା ସଙ୍ଖଚିଲା ଅଞ୍ଚଳରେ ହୋଇଥିବା ବେଳେ ତା ନାମରେ କଳିଙ୍ଗନଗର ସମେତ ଅନ୍ୟାନ୍ୟ ଥାନାରେ ଡକାୟତି ମାମଲା ଥିବା ଜଣାପଡିଛି। ଆଜି ଗିରଫ ଡକାୟତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ଥାନାରେ ୩୨୩/୨୨ରେ ମାମଲା ରୁଜୁ ହୋଇଛି।


