ପରିବେଶ ମଞ୍ଜୁରୀ ସକାଶେ ସର୍ବସାଧାରଣ ଶୁଣାଣୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପରିବେଶୀୟ ମଞ୍ଜୁରୀ ସକାଶେ ଅଧିସୂଚନା ସଂଖ୍ୟା ଏସ.ଓ. ୧୫୩୩(ଇ), ୧୪.୦୯.୨୦୦୬ ତାରିଖ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ବୋର୍ଡ, ଓଡିଶା ଭୂବନେଶ୍ୱରଙ୍କୁ ସର୍ବସାଧାରଣ ଶୁଣାଣୀ କରିବାର କ୍ଷମତା ପ୍ରଦାନ କରିଛନ୍ତି । ଏଥି ପାଇଁ ବୋର୍ଡ, ସର୍ବସାଧାରଣଙ୍କ ସମେତ ପ୍ରକୃତ ଅଧିବାସୀ, ପରିବେଶୀୟ ସଂସ୍ଥା ଏବଂ ପ୍ରକଳ୍ପ ପ୍ରସ୍ତାବିତ ସ୍ଥାପନ ହେଉଥିବା ସ୍ଥାନରେ ଜନବର୍ଗ, ଉଚ୍ଛେଦ ହେଉଥିବା ବାସିନ୍ଦା ପରିବେଶୀୟ ପ୍ରଭାବ ସମ୍ବନ୍ଧୀୟ ପ୍ରସ୍ତାବ, ମତାମତ ମନ୍ତବ୍ୟ ଓ ଆପତ୍ତି ପତ୍ର ଆଦିକୁ ବିଚାରକୁ ନେଇ ଅନୁମତି ଦେବା ବିଧି ବ୍ୟବସ୍ଥା ରହିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଖରିଡା ଗ୍ରାମର ୫.୨୬୧ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଖରିଡା ବାଲିଶର୍ଯ୍ୟା ସକାଶେ ପରିବେଶୀୟ ମଞ୍ଜୁରି ପାଇଁ ଶୁକ୍ରବାର ସର୍ବସାଧାରଣ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ତହସିଲ ମା’ କରେଇଶୁଣୀ ମନ୍ଦିର ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବ୍ରହ୍ମପୁର ଆଞ୍ଚଳିକ ଅଧିକାରୀ ଦିପକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଛତ୍ରପୁର ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାରେ ପ୍ରଭାତ କୁମାର ପରିଡା ଓ ଥାନା ଆଇଆଇସି ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ବାଲି ଉତ୍ତୋଳନ ସମୟରେ ପରିବେଶୀୟ ମଞ୍ଜୁରୀ, ରାସ୍ତାଘାଟ, ବୃକ୍ଷରୋପଣ, ସ୍ଥାନୀୟ ଅଞ୍ଚଳର ବେରୋଜଗାରଙ୍କୁ ନିଯୁକ୍ତି ଓ କରେଇଶୁଣୀ ମନ୍ଦିରର ଉନ୍ନତିକରଣ ସକାଶେ ଉପସ୍ଥିତ ଗ୍ରାମବାସୀ ମତ ରଖିଥିଲେ । ବାର୍ଷିକ ୧୫୫୦୧ ଘନମିଟର ବାଲି ଉତ୍ତୋଳନ ପାଇଁ ଥିବା ଅନୁମତି ସକାଶେ ଲିଜଧାରୀ ଆବଶ୍ୟକୀୟ ସର୍ତ୍ତ ପ୍ରତି ପଦକ୍ଷେପ ନେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ସର୍ବସାଧାରଣ ଶୁଣାଣୀ ପରେ ପରିବେଶ ମଞ୍ଜୁରୀ ସକାଶେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରେ ଉପସ୍ଥାପନା କରାଯିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ଲିଜ ଅବଧି ମଧ୍ୟରେ କୌଣସି ପ୍ରକାର ଅଭାବ ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇବା ପାଇଁ ସେ ସୂଚନା ଦେଇଥିଲେ । ବାଲି ଚାଲାଣ ବେଳେ ସରକାରୀ ଓ ବେସରକାରୀ ରାସ୍ତାରେ ଧୂଳି ଉଡିବା, ବୃକ୍ଷରୋପଣ, ଓଭରଲୋଡିଂ, ଅସଲି ୱାଇ ଫର୍ମର ବ୍ୟବହାର ଓ ସ୍ଥାନୀୟ ଗ୍ରାମର ବେକାର ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସମ୍ପୃକ୍ତ ବାଲିଘାଟ ଲିଜଧାରୀ ଜାତୀୟ ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶାବଳୀ ଓ ସରକାରୀ ନିତିନିୟମ ଓ ଅଭିଯୋଗ ପ୍ରତି କେତେ ଦାୟିତ୍ୱବାନ ହୋଇ ସଫଳ ହେବେ ତାହା ସଭା ଶେଷ ପରେ ବିଶେଷ ଚର୍ଚ୍ଚା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁରେନ୍ଦ୍ର ପ୍ରଧାନ, ଏଳା ସୁଦର୍ଶନ, କୃଷ୍ଣ ଚନ୍ଦ୍ର ପଣ୍ଡା, ସରପଞ୍ଚ ପ୍ରତିନିଧି, ରାଜସ୍ୱ କର୍ମଚାରୀ, ପିଇଓ ଓ କମ୍ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ