ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ସଂଗ୍ରହ କରୁଛି ଏସ୍ବିଆଇ
ଗୁଣପୁର(ଓ୍ବାଇଏନଏସ): ବରିଷ୍ଠ ନାଗରିକ, ବାର୍ଦ୍ଧକ୍ୟଜନିତ ଅସୁସ୍ଥ ତଥା ଚଳପ୍ରଚଳ କରିବାରେ ଅସମର୍ଥ ପେନସନଭୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗୁଣପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟାଙ୍କ କର୍ମଚାରୀମାନେ ପେନସନଭୋଗୀଙ୍କ ଘରେ ପହଞ୍ଚି ସେମାନଙ୍କର ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ସଂଗ୍ରହ କରୁଛନ୍ତି। ଏହି ସେବା ଯୋଗୁଁ ବୟସାଧିକ୍ୟ ଓ ଅସୁସ୍ଥତା କାରଣରୁ ବ୍ୟାଙ୍କକୁ ଯାଇପାରୁ ନଥିବା ପେନସନଭୋଗୀଙ୍କୁ ଆଉ ଅଯଥା ହଇରାଣ ହେବାକୁ ପଡ଼ୁନାହିଁ। ଏପରିକି ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଏହି ସେବା ଜାରି ରହିଛି ବୋଲି ବ୍ୟାଙ୍କର ସିନିୟର ମ୍ୟାନେଜର ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଜନହିତକର ସେବା ଯୋଗାଇବାରେ ବ୍ୟାଙ୍କର ବରିଷ୍ଠ କର୍ମଚାରୀ ଏସ୍. ମୋହନ ସହଯୋଗ କରୁଥିବା ଜଣାପଡ଼ିଛି। ବ୍ୟାଙ୍କର ଏଭଳି ଗ୍ରାହକ-ଅନୁକୂଳ ଓ ମାନବିକ ପଦକ୍ଷେପ ଦ୍ୱାରା ଅନେକ ବରିଷ୍ଠ ନାଗରିକ ଉପକୃତ ହେଉଥିବାବେଳେ ଗୁଣପୁର ଅଞ୍ଚଳରେ ଏହାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।


