ତୁହାକୁ ତୁହା ବର୍ଷା, ଜନଜୀବନ ପ୍ରଭାବିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ୩ ଦିନ ଧରି ଲଘୁଚାପ ପ୍ରଭାବରୁ ହିଞ୍ଜିଳିକାଟୁ ଅଞ୍ଚଳରେ ବର୍ଷା ଲାଗି ରହିଛି । ଯାହାଫଳରେ ତୁହାକୁ ତୁହା ବର୍ଷା ହେବା ସହ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ପୂର୍ବରୁ ଭ୍ରାଦ୍ରବ ମାସର ଟାଣ ଖରା ସହ ଗୁଳଗୁଳି ଲାଗି ରହିଥିଲା । ବର୍ଷା ପ୍ରଭାବରେ ପରିବେଶ ଥଣ୍ଡା ହୋଇପଡିବା ସହ ଅଞ୍ଚଳବାସୀ ଗରମ ଓ ଗୁଳଗୁଳିରୁ ଆଶ୍ୱସ୍ତି ଲାଭ କରିଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଶୁକ୍ର ଓ ଶନିବାର ୨ ଦିନ ଧରି ଦିନ ଓ ରାତି ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଅତ୍ୟାବଶ୍ୟକ ନଥିଲେ ଲୋକେ ଘରୁ ବାହାରକୁ ବାହାରିବାକୁ ଉଚିତ ମଣୁନାହାନ୍ତି । ଆବଶ୍ୟକ ହେଲେ ଲୋକେ ଛତା ଓ ରେନ୍ କୋଟ ବ୍ୟବହାର କରି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ବର୍ଷା ପ୍ରଭାବରୁ ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ କମ୍ ରହିଥିବା ଦେଖିବାକୁ ମିଳିଛି । ରାସ୍ତାଘାଟରେ ଜନଗହଳି ପ୍ରାୟତଃ ଦେଖିବାକୁ ମିଳିନଥିଲା । ପୂର୍ବରୁ ଟାଣ ଖରା ଯୋଗୁଁ ଧାନ ତଳି ପୋଡିଯିବା ଆଶଙ୍କା ରହିଥିବା ବେଳେ ଚାଷ ଜମି ଶୁଖିଲା ପଡିଥିଲା । ଯଦ୍ୱାରା ଚାଷୀ, ଚାଷ କାର୍ଯ୍ୟକୁ ନେଇ ଚିନ୍ତିତ ହୋଇ ପଡିଥିଲା । ଲଘୁଚାପ ବର୍ଷା ଚାଷ କାମ ପାଇଁ ବେଶ ସହାୟକ ହୋଇଛି । ଧାନ ଗଛରେ ପୁଡା ଧରିବା ସମୟ ହୋଇଥିବାରୁ ଏହି ଲଘୁଚାପ ଜନିତ ବର୍ଷା ଲାଭଜନକ ହୋଇପାରିବ ବୋଲି ଚାଷୀ ଆଶା ରଖିଛି । ଶୁକ୍ରବାର ସକାଳ ୮ଟାରୁ ଶନିବାର ସକାଳ ୮ଟା (୨୪ ଘଣ୍ଟା ) ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ୪୩ ମିଲିମିଟର ଏବଂ ଶନିବାର ସକାଳ ୮ ଘଣ୍ଟା ଠାରୁ ଅପରାହ୍ନ ୫ ଟା ମଧ୍ୟରେ ୩୮ ମିଲିମିଟର ବର୍ଷା ହୋଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୁତ୍ରରୁ ଜଣାପଡିଛି।