ପୋଡ଼ମପେଟା କୂଳ ଲଙ୍ଘିବା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଉପକୂଳରେ ବଢ଼ୁଥିବା ସମୁଦ୍ର କୂଳ କ୍ଷୟ ଓ କୂଳ ଲଙ୍ଘିବା ଘଟଣାକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ୯ଟି ଗ୍ରାମ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମ ବର୍ତ୍ତମାନ ତୀବ୍ର ସମୁଦ୍ର କୂଳ କ୍ଷୟର ସମ୍ମୁଖୀନ ହେଉଛି। ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗକୁ ମାଡ଼ି ଆସୁଥିବାରୁ ଜନବସତି, କୃଷିଜମି ଓ ଜନଜୀବନ ବିପଦରେ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। ପତ୍ରରେ ବିଧାୟକ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ, ସେହି ସୁପାରିଶକୁ ଆଧାର କରି ସ୍ଥାୟୀ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


