ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା) : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସକୁ “ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ବିଷୟବସ୍ତୁ ଅନୁସାରେ ପାଳନ କରିବା ଲାଗି ଭାରତୀୟ ତଟରକ୍ଷୀ ଷ୍ଟେସନ, ଗୋପାଳପୁର ସହ ସହଯୋଗର ହାତ ବଢାଇଛି ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) । ପ୍ରାୟ ଦୁଇ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ ଆୟୋଜନ କରାଯାଇଥିବା ସ୍ୱଚ୍ଛତା ଅଭିଯାନରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବନ୍ଦରର ବହୁ ବରିଷ୍ଠ ଅଧିକାରୀ, ଉପକୂଳ ତଟରକ୍ଷୀ ସେନା, ସାଧାରଣ ନାଗରିକ ଓ ସ୍ୱେଚ୍ଛାସେବୀଙ୍କ ସମେତ ୪୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ହେଉଛି ବେଳାଭୂମିକୁ ସ୍ୱଚ୍ଛ ରଖିବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଏବଂ ବେଳାଭୂମିକୁ ସମ୍ମାନ ଜଣାଇବାର ଅଭ୍ୟାସ ଜାଗ୍ରତ କରିବା ଯାହା ପ୍ରତିବଳଦରେ ସାମୁଦ୍ରିକ ଜୈବ ବିବିଧତାକୁ ସମୃଦ୍ଧ କରିବ ।ଅନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ଗୋପାଳପୁର ବନ୍ଦର ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭି ଜେ ରାଓ କହିଛନ୍ତି ଯେ “ଆମର ସମୁଦ୍ର ଓ ଆମର ବେଳାଭୂମିକୁ ସୁରକ୍ଷା ପାଇଁ ସରଳ ମନ୍ତ୍ର ହେଉଛି ବର୍ଜ୍ୟ ବିଶେଷ କରି ପ୍ଲାଷ୍ଟିକ୍ ବର୍ଜ୍ୟକୁ ହ୍ରାସ, ପୁନଃ ବ୍ୟବହାର ଓ ରିସାଇକଲ୍ କରିବା । ଆମର ଉପକୂଳ ଓ ବେଳାଭୂମିର ସୁରକ୍ଷା ପାଇଁ ଗୋପାଳପୁର ବନ୍ଦର ଅନେକ ପଦକ୍ଷେପ ଗ୍ରହଣ କରୁଛି । ନିରନ୍ତର ବିକାଶର ସର୍ବୋଚ୍ଚ ମାନକ ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ଗଂଜାମ ଜିଲ୍ଲାର ଉପକୂଳର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ତ୍ୱରାନ୍ୱିତ କରିବୁ । ଅନାବଶ୍ୟକ ଭାବେ ଜିନିଷ ଢ଼ାଳିବାକୁ ବନ୍ଦ କରିବା ଲାଗି ଅନୁପ୍ରାଣିତ ହୋଇ ଶତାଧିକ ଲୋକ ସ୍ୱେଚ୍ଛାକୃତ ଭାବେ ସାମିଲ ହେବା ଓ ସ୍ୱଚ୍ଛତା ଅଭିଯାନ ପ୍ରତି ସହାୟତା ପ୍ରଦାନ କରୁଥିବା ଦେଖିବା ବେଶ ଆମୋଦଦାୟକ ଥିଲା ବୋଲି ଗୋପାଳପୁର ବନ୍ଦରର ଭିପି (ଏଚଆର/ ଆଇଆର୍‌) ଅଜୟ କୁମାର ମିଶ୍ର କହିଛନ୍ତି ।ଏହି ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୦୦ କେଜି ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା ।ଉପକୂଳ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି ।ବର୍ଜ୍ୟର ଉତ୍ସକୁ ଚିହ୍ନଟ କରିବା ସହ ପ୍ରଦୂଷଣର କାରଣ ପ୍ରତି ବ୍ୟବହାରରେ ପରିବର୍ତନ ଆଣିବା ଏବଂ ସାମୁଦ୍ରିକ ବର୍ଜ୍ୟ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ବେଳାଭୂମି, ଜଳପଥ ଓ ଅନ୍ୟାନ୍ୟ ଜଳ ଭଣ୍ଡାରରୁ ବର୍ଜ୍ୟ ଓ ଆବର୍ଜନା ହଟାଇବା ଲାଗି ପ୍ରତିବର୍ଷ ସେପ୍ଟେ୍‌ର ମାସର ତୃତୀୟ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ଗୋଷ୍ଠୀ ସାରା ବିଶ୍ୱର ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ