ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ହିନ୍ଦୀ ଆମର ରାଷ୍ଟ୍ରଭାଷା ଆମର ଗର୍ବ ଆଉ ହିନ୍ଦୁସ୍ଥାନର ଆତ୍ମର ଭାଷା ଅଟେ । ସମଗ୍ର ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ହିନ୍ଦୀ ଭାଷା ହିଁ ସାମର୍ଥ୍ୟ ରଖେ । ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀର ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ହିନ୍ଦୀ ଶିକ୍ଷକ ବାସ୍ତବରେ ରାଷ୍ଟ୍ରର ସେବକ । ଆଜି ହିନ୍ଦୀ ଶିକ୍ଷକ ସଙ୍ଘର ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହରେ ଯୋଗଦେଇ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଡଃ. ଅଜିତ ପ୍ରସାଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ପାଠାଗାର ଆନ୍ଦୋଳନର ନିର୍ଦେଶକ ନରହରି ସୂତାର ଏବଂ ସମ୍ମାନୀତ ଅତିଥି ଭାବେ ସଙ୍ଘର ପୂର୍ବତନ ସମ୍ପାଦକ ଅଶୋକ କୁମାର ଦାଶ, ମହେନ୍ଦ୍ର କୁମାର ମଲ୍ଲିକ, ପରିବେଶବିତ କାଶୀନାଥ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । କଥାକାର ପ୍ରଦୀପ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ଜେନା, ଦେବେନ୍ଦ୍ର କୁମାର ଜେନା, ଧନେଶ୍ୱର ସାମଲ, ପ୍ରବୀର କୁମାର ପତି, ସେଖ ସୁଲତାନ, ପ୍ରଫୁଲ୍ଲ କୁମାର ଜେନା, ବିଭୂତି ଭୂଷଣ ସ୍ୱାଇଁ, ବିଭୁତି ଭୂଷଣ ମହାପାତ୍ର, ମନୋରଞ୍ଜନ ଦାସ, ପଦ୍ମଜା ମହାନ୍ତି, ଗୋଲଖ ଚନ୍ଦ୍ର ଲେଙ୍କା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପିଏଚଡି ଡିଗ୍ରୀ ହାସଲ କରିଥିବା ଡଃ. ମାଧୁରୀ ଭଦ୍ର ଓ ଡଃ. ରଶ୍ମିତା ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶିକ୍ଷୟିତ୍ରୀ ସ୍ୱର୍ଣ୍ଣରେଖା ପରିଡା ସ୍ୱାଗତ ଭାଷଣ ଓ ରୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଘର ସମ୍ପାଦକ ମହେଶ୍ୱର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ନିର୍ଝରିଣୀ ପଣ୍ଡା ଓ ନିର୍ମଳା ସାମଲ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ସବନମ ଆରା ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହକୁ ପରିଚାଳନା କରିବାରେ କୋଷାଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ, ଉପସଭାପତି ଦିପକ ରାଉତ, ନିର୍ମଳ କୁମାର ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ନାୟକ, ଲାଲବାବୁ ଖାଁ, ସପନ କୁମାର ବେହେରା, ରୁବିନା ଖାତୁନ ପ୍ରମୁଖ ସହଯୋଗ କରିଥିଲେ ।


