ବାହାରିପୁରରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଅଳଙ୍କାର ଓ ନଗଦ ଟଙ୍କା ଲୁଟ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରା ମାନେ ପୁଲିସ ଆଖିରୁ ନିଦ ହଜାଇ ଦେଲେଣି । ନନ୍ଦିପଦା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଚୋରମାନେ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀକରି ନିର୍ବିଘ୍ନରେ ଖସି ଯାଉଥିବାବେଳେ ପୁଲିସ ସାମନ୍ୟତମ ସୁରାକ ପାଇପାରୁ ନାହିଁ । ଚୋରମାନେ ଗତକାଲି ରାତିରେ ବାହାରିପୁର ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର ସମେତ ନଗଦ ଲକ୍ଷେ ୮୫ହଜାର ଟଙ୍କା ଲୁଟ ହୋଇଯାଇଛି । ସୁଚନାଯୋଗ୍ୟ, ଦାମୋଦର ସାହୁ ଓ ନିତ୍ୟାନନ୍ଦ ସାହୁଙ୍କ ପରିବାର ଲୋକେ ଗତକାଲି ରାତିରେ ଘରଠାରୁ ୨୦୦ମିଟର ଦୁରରେ ହେଉଥିବା ଅପେରା ଦେଖିବାକୁ ଆସିଥିଲେ । ଏହାର ସୁଯୋଗ ନେଇ ଦୁର୍ବୁତମାନେ ଘରର ତାଲାଭାଙ୍ଗି ଘର ଭିତରେ ପସି ନଗଦ ୧ଲକ୍ଷ ୮୫ହଜାର ଟଙ୍କା ସମେତ ୫ଭାଇଙ୍କ ପରିବାରର ସମସ୍ତ ସୁନାରୁପା ଅଳଙ୍କାର ଲୁଟି ନେଇଥିଲେ । ସେମାନେ ବାକ୍ସ ଗୁଡିକୁ ବାହାରକୁ ଆଣି ଭାଙ୍ଗିବା ସହ ତନ୍ମଧ୍ୟରୁ ଅଳଙ୍କାର ତକ ଲୁଟିନେଇ ଖୋଲା ବାକ୍ସ ଗୁଡିକୁ ପକାଇଦେଇ ପକଳାଇଛନ୍ତି । ସେହିପରି ଦାମୋଦର ଏକ ପକ୍କାଘର ନିର୍ମାଣ କରୁଥିବାବେଳେ ଛାତ ପକାଇବା ପାଇଁ ଧାର କରଜ କରି ୧ ଲକ୍ଷ ୮୫ହଜାର ଟଙ୍କା ଲୁଟିନେଇଛନ୍ତି । ପରିବାର ଲୋକେ ଯାତ୍ରାଦେଖି ଘରକୁ ଫେରିବାପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଆଜି ଦାମୋଦର ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଘର ଠାରୁ ଶୁଙ୍ଘି ଶୁଙ୍ଗି ବୈତରଣୀ ନଦୀର ଘାଟ ପର୍ଯ୍ୟନ୍ତ ଯାଇ ଥିଲା । ଲୁଟେରାମାନେ ସମ୍ଭବତ ବାଲିବରୁଆଁ ଘାଟ ଦେଇ ଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗତ ୨୦ଦିନ ପୁର୍ବେ ଦିନ ୧୦ଟାବେଳେ ଛେନାପଦିଛକରେ ସୁନା ଅଳଙ୍କାର ଦୋକାନରୁ ଲୁଟ, ଗତ ୮ଦିନ ତଳେ ଶାଳଣିଆଁ ବଜାରରୁ ଦୁଇଟି ଦୋକାନରୁ ଚୋରୀ, ଗତ ୬ଦିନ ତଳେ ଜଗନ୍ନାଥପୁର ଗ୍ରାମରୁ ଚୋରୀ ଓ ୪ଦିନ ତଳେ ଛେନାପଦି-ସୁଲଣ ରାସ୍ତାରେ ଜୈନିକ ବ୍ୟକ୍ତିଙ୍କ ଘରୁ ଦିନଦ୍ୱିପହରେ ଲୁଟ ଭଳି ଘଟଣା ପୁଲିସ ଆଖିରୁ ନିଦ ହଜାଇ ଦେଇଛି । ପୁଲିସ ଏହି ଲୁଟେରାଙ୍କ ସମ୍ପର୍କରେ ସାମନ୍ୟତମ ସୁଚନା ପାଇବାରେ ବିଫଳ ହୋଇଛି । ନନ୍ଦିପଦା ଥାନା ଅଞ୍ଚଳଟି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାବେଳେ ଗମନାଗମନର ସୁବିଧା ଦୃଷ୍ଟିରୁ ଆନ୍ତରାଜ୍ୟ ଲୁଟେରାମାନେ ଏହି ଅଞ୍ଚଳରୁ ଲୁଟକରି ଅକ୍ଳେଶରେ ଖସିଯିବାରେ ସମର୍ଥ ହେଉଛନ୍ତି । ନନ୍ଦିପଦା ଥାନାରେ ଆବଶ୍ୟକ ପୁଲିସ ଅଫିସର ନଥିବାରୁ ପୁଲିସ ଏହିସବୁ ଲୁଟ ଉପରେ ପ୍ରଧାନ୍ୟ ଦେଇ ଉପଯୁକ୍ତ ତଦନ୍ତ କରିବାକୁ ସମୟ ପାଉନାହିଁ । ଫଳରେ ଲୁଟେରାମାନେ ଅଧିକରୁ ଅଧିକ ସକ୍ରୀୟ ହେବାରେ ଲାଗିଛନ୍ତି । କେନ୍ଦୁଝର ଏସ. ପି ତୁରନ୍ତ ନନ୍ଦିପଦା ଥାନାରେ ଅଧିକ ସଂଖ୍ୟକ ଏସ.ଆଇ ଓ ଏଏସଆଇ ନିଯୁକ୍ତି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ