ଅଧାରେ ଅଟକିଛି ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ
ପାରଳାଖେମୁଣ୍ଡ- (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ଆଦିବାସୀ,ହରିଜନ ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା ଗଜପତି ଜିଲାରେ କାର୍ଯ୍ୟକାରୀ ହୋଇଆସୁଛି । ଏହି ଯୋଜନା ଗୁଡିକରେ କୋଟିକୋଟି ଟଙ୍କା ବ୍ୟୟ ହେଇଛି । ହେଲେ ଯୋଜନା ଗୁଡିକୁ ରୁପାୟନ ଦାୟୀତ୍ୱରେ ଥିବା କର୍ମକର୍ତ୍ତାଙ୍କ ଦାୟୀତାହୀନତା ଯୋଗୁଁ ଲକ୍ଷ୍ୟ ଠାରୁ ବହୁଦୁରରେ ଅଟକି ରହିଛି । ଏକ ବର୍ଷ ସମୟସୀମା ମଧ୍ୟରେ ନିର୍ମାଣ ଶେଷ ହେବାକୁ ଥିବା +୨ ମହାବିଦ୍ୟାଳୟ ୩ବର୍ଷ ପୁରଣ ହେବାକୁ ଯାଉଥିଲେ ସୁଦ୍ଧା ଅଧାରେ ଅଟକିି ରହିଛି । ଘଟଣାରୁ ପ୍ରକାଶ ଆର୍.ଉଦୟଗିରି ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଅନକେ ବ୍ୟବସ୍ଥା କରାଯାଇଅଛି । ଯାହାକି ଅଧାରେ ଅଟକି ଯାଇଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ରାମଗିରିର ଥାଟ ରାଜକଲୋନୀ ଠାରେ ହେଉଥିବା ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ । ଏହି କୋଠାଟି ଦୁଇକୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ମଞ୍ଜୁରୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାମ ନେଉନାହିଁ । ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମଞ୍ଜୁର ପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ କଲେଜ ଗୃହ ନିର୍ମାଣ କାର୍ଯ୍ୟ ବୁଝୁଥିବା ବେଳେ ଏହି କାର୍ଯ୍ୟକୁ ଜଣେ ଠିକାଦାରଙ୍କୁ ଦିଆଯାଇଛି । ଉକ୍ତ କାମ ୨୦୧୬-୧୭ରୁ ଆରମ୍ଭ ହୋଇଥିବାବେଳେ କାର୍ଯ୍ୟ ଅବଧି ଏକବର୍ଷ ରହିଥିଲା । କିନ୍ତୁ ୩ବର୍ଷ ହେଲାଣି କାମ ସମ୍ପୁର୍ଣ୍ଣ ହୋଇପାରି ନାହିଁ । ଯାହାକି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ଆସୁଛି । ପୁର୍ବରୁ ମଧ୍ୟ ନିମ୍ନ ମାନର କାମକୁ ନେଇ ଅଞ୍ଚଳରେ ଅଭିଯୋଗ ହୋଇଥିଲା । ଏପଟେ ଘର କାମ ସମ୍ପୁର୍ଣ୍ଣ ମଧ୍ୟ ହୋଇପାରି ନାହିଁ । ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏବଂ ସେମାନଙ୍କର ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହେଉଥିଲେ ମଧ୍ୟ ଗଜପତି ଜିଲାଭଳି ଏକ ଜନଜାତି ବହୁଳ ଅଞ୍ଚଳରେ ଏପରି ଏକ କାର୍ଯ୍ୟ ମନ୍ଥରଗତିରେ ଚାଲୁ ରହିଥିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।


