ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ  ତୁରନ୍ତ ମରାମତି କରାଯିବା ଦାବିରେ  ଛତ୍ରପୁର ସ୍ଥିତ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିବା  ଜଣାପଡିଛି । ଦୀର୍ଘବର୍ଷ ହେଲା କଇଠଖଣ୍ଡି ଗ୍ରାମର ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ବଡ ବଡ଼ ଖାଲଖମା  ହୋଇ  ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ମୁଖ୍ୟ ରାସ୍ତା ଦେଇ ଗ୍ରାମର ଛାତ୍ରୀ ଛାତ୍ର ଓ ଅଭିଭାବକ ବୃନ୍ଦ ସ୍କୁଲ ଏବଂ ୨ ଟି ଅଙ୍ଗନୱାଡ଼ି କେନ୍ଦ୍ର କୁ ଯା ଆସ କରୁଛନ୍ତି।  ସାମାନ୍ୟ ବର୍ଷା ହେଲେ ରାସ୍ତାର ଖାଲ ଗୁଡିକରେ ପାଣି ଜମିବା ଦ୍ବାରା  ଯାତାୟାତ କରୁଥିବା  ଛାତ୍ରୀଛାତ୍ର ଏବଂ ସ୍ଥାନୀୟ ବାସିନ୍ଦା ଉକ୍ତ ଖାଲ ଗୁଡିକରେ ପଡ଼ିଯାଇ  ଖଣ୍ଡିଆ ଖାବରା ହେଉଛନ୍ତି। ସେହିପରି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଗ୍ରାମ ଭିତରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି।  ଗ୍ରାମ ରେ ସ୍କୁଲ , କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ପ୍ରତିଦିନ ଆଖପାଖ ୩ ରୁ ୪ ଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ସ୍କୁଲ ଓ କଲେଜ  ଛାତ୍ରୀଛାତ୍ର ଏହି ରାସ୍ତାରେ  ଯାତାୟତ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ସରପଞ୍ଚ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରି ରାସ୍ତାର  ମରାମତି ଏବଂ ପୁନରୁଦ୍ଧାର ପାଇଁ ନିବେଦନ କରି ଆସୁଥିଲେ ମଧ୍ୟ  ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇପାରି ନାହିଁ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି । ଜିଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ ଙ୍କ ସମେତ ଜିଲା ସରପଞ୍ଚ ସଂଘର ଉପସଭାପତି କୃଷ୍ଣଚନ୍ଦ୍ର ବଉଳ,ସାରୁ ପଞ୍ଚାୟତ ସରପଞ୍ଚ ନିଳାଞ୍ଚଳ ସାହୁ,ମୁମ୍ବାଇ ପ୍ରବାସୀ ଓଡ଼ିଆ ସମାଜର ଉପସଭାପତି ସୂର୍ଯ୍ୟନାରାୟଣ ଗୌଡ଼  ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ