ଏମକେସିଜି ମେଡିକାଲରେ ସ୍ୱାସ୍ଥ୍ୟ ଚିକିତ୍ସା ଅବସ୍ଥା ସ୍ଥାଣୁ
ବ୍ରହ୍ମପୁର, (ଅନିଲ କୁମାର):ସମଗ୍ର ଦକ୍ଷିଣ ଓଡିଶାର ମୁଖ୍ୟ ହସ୍ପିଟାଲ ଏମକେସିଜି ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସୁଥିଲେ ବି ଏଠାରେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସେବାକୁ ପଙ୍ଗୁ କରିଦିଆଯାଇଛି l ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥାକୁ ସମାଧାନ କରିବା ଓ ଚିକିତ୍ସା ନାଁ ରେ ମିଥ୍ୟା ବାହାବା ନେବା ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ଓ ସହରର ବିଭିନ୍ନ ଗଣସଂଗଠନର ନେତୃବର୍ଗ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଆନୁକୂଲ୍ୟରେ ୧୧୭ତମ ଘଣ୍ଟ ଯାତ୍ରା ଗଣବିକ୍ଷୋଭ ମାଧ୍ୟମରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି l ସମସ୍ତ ବିଭାଗରେ ବରିଷ୍ଠ ଡାକ୍ତରଙ୍କୁ ନିୟୋଜିତ କରାଯିବା ଓ ବାୟୋମେଟ୍ରିକ ବ୍ୟବସ୍ଥାକୁ ଏକ ରକମ ପ୍ରହସନରେ ପରିଣତ କରି ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ,ସୁପର ସ୍ପେସିଆଲଟି ବ୍ଲକରେ ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ତିନୋଟି ବିଭାଗର ଓଟି କୁ କାର୍ଯ୍ୟକ୍ଷମ କରିବା,ଦୈନିକ ମାତ୍ର ୪୫ ଜଣ ରୋଗୀଙ୍କ ପରୀକ୍ଷା ପରିବର୍ତ୍ତେ ରେଡ଼ିଓଲୋଜି ବିଭାଗକୁ ୨୪ ଘଣ୍ଟା ଚାଲୁକରି ସମସ୍ତ ରୋଗୀଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯିବା,ଆଞ୍ଚଳିକ ନିଦାନ କେନ୍ଦ୍ର (RDC)ରେ ପ୍ରବଳ ରୋଗୀ ଭିଡ଼ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟା ଚାଲୁ କରିବା ,ଜଳାପୋଡା ବିଭାଗ (Burn care unit )ସ୍ଥାପନ କରିବା,ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଜେରିଆଟ୍ରିକ ବିଭାଗ ଖୋଲିବା,ଦୀର୍ଘ ମାସରୁ ବନ୍ଦ ପଡ଼ିଥିବା ଏଣ୍ଡୋସ୍କୋପି ମେସିନ ଚାଲୁ କରିବା,ମେଡିକାଲକୁ ସମ୍ପୂର୍ଣ ଭାବେ ଦଲାଲ ମୁକ୍ତ କରିବା ଆଦି ପ୍ରମୁଖ ଦାବି ଆଜି ମେଡିକାଲ ଅଧିକ୍ଷକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି l ଏହି ଦାବି ଗୁଡିକ ମଧ୍ୟରେ ଖୁବ ଶୀଘ୍ର ସମସ୍ତ ଓଟି ଖୋଲାଯିବ ଓ ଆଞ୍ଚଳିକ ନିଦାନ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲାଯିବ ଓ ଦଲାଲ ମାନଙ୍କୁ କାବୁ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯିବ ବୋଲି ମେଡିକାଲ ଅଧିକ୍ଷକ ଡା. ସନ୍ତୋଷ ମିଶ୍ର ପ୍ରତିଶୃତି ଦେଇଛନ୍ତି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା, ସମାଜସେବୀ ମନୋଜ କୁମାର ତରାଇ, ସଂଗଠକ ରାଜୀବ କୁମାର ମିଶ୍ରଙ୍କ ସମେତ ମାନବବାଦୀ ହେତୁବାଦୀ ସଂଗଠନର ନନ୍ଦେସୁ ସେନାପତି, ଶିକ୍ଷକ ସଂଗଠନର ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,କ୍ରାନ୍ତିକାରୀ କୃଷକ ସଭାର ପି. ପାର୍ବତୀ,ଆପ ନେତା ଆଦିତ୍ୟ ପ୍ରସାଦ ରଥ,ବଂଶୀଧର ଭୂୟାଁ,ମାଗୁଣି ନାହାକ,ପୂର୍ଣ୍ଣ ଚନ୍ଦ୍ର ମହାରଣା,ମୋହନ ରାଓ,ପ୍ରଶାନ୍ତ କୁମାର ପଣ୍ଡା, ସୁବାସ ଚନ୍ଦ୍ର ମିଶ୍ର, ଗଗନ ଚନ୍ଦ୍ର ମଲ୍ଲିକ,ରମେଶ ଚନ୍ଦ୍ର ବେହେରା,ହୃଷିକେଶ ପାତ୍ର,ବିରେନ କୁମାର ବେହେରା, ଆର. ସତ୍ୟ ନାରାୟଣ ରାଓ,ବାଳକୃଷ୍ଣ ସାମନ୍ତରା,ଗୌରୀ ଶଙ୍କର ମହାନ୍ତି,ଏସ. ରାଜା ରାଓ, ରବୀନ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ,ଜେ. ଦୀନେଶ, ଏନ. ଦୀନବନ୍ଧୁ, ଜି. ଜଗନ୍ନାଥ, ନାରାୟଣ ସାବତ,ବି.ଏନ.ରଥ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ଏମକେସିଜି ମେଡିକାଲ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ସୃଷ୍ଟି କରାଯିବ ବୋଲି ଚେତାବନୀ ଦେବାସହ ପ୍ରତିବାଦ ପ୍ରଦର୍ଶନ କରିଥିଲେ l


