କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଗଣପର୍ବ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଏବେ ମହାସମାରୋହରେ ପାଳିତ ହେଉଛି । ଦିନକୁ ଦିନ ଲୋକଙ୍କ ଭିଢ ବଢିବାରେ ଲାଗିଛି । ବିଭିନ୍ନ ଲକ୍ଷ୍ମୀ ପୂଜା ମଣ୍ଡପ ପକ୍ଷରୁ ଭଜନ ସମାରୋହର ଆୟୋଜନ କରାଯାଉଛି । ଗତ ୨ବର୍ଷ ହେବ କରୋନା କଟକଣା ଭିତରେ ମା’ଙ୍କ ପୂଜା କରାଯାଉଥିଲା । ଫଳରେ ଲୋକମାନେ ଆଉ ପୂଜାର ମଜା ନେଇପାରୁନଥିଲେ । ଚଳିତ ବର୍ଷ କରୋନା କଟକଣା ନଥିବାରୁ ବହୁ ଜାକଜମକରେ କେନ୍ଦ୍ରାପଡାରେ ମା’ଙ୍କ ପୂଜା ଉତ୍ସବ ପାଳିତ ହେଉଛି । ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଗଜଲକ୍ଷ୍ମୀ ପୂଜାସମୟରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ୮ଟି ମସ୍ଜିଦକୁ ସୁରକ୍ଷା ବଳୟରେ ରଖାଯାଇଛି । ସହରରେ ପୂଜା ପାଉଥିବା ୬୯ଟି ଦୁର୍ଗା ମେଢ ଓ ଅନ୍ୟାନ୍ୟ ମେଢକୁ ୩ଟିି ବର୍ଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ ‘କ’ ଶ୍ରେଣୀ ମେଢ ୧୨ଟି, ‘ଖ’ଶ୍ରେଣୀ ମେଢ ୨୩ଟି ଓ ‘ଗ’ ଶ୍ରେଣୀ ମେଢ ୩୪ଟି ରହିଛି । ଜିଲ୍ଲାର ୧୦ଟି ଥାନା ଏବଂ ସହରର ୯ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୯ଜଣ ମ୍ୟାଜିଷ୍ଟ୍ରେଟଙ୍କୁ ଅବସ୍ଥାପିତ କରାଯାଇଛି । ୯ଟି ସମ୍ବେଦନଶୀଳ ମେଢ ପାଖରେ ଅହୋରାତ୍ର ପୋଲିସ ସୁରକ୍ଷା ବଳ ମୃତୟନ କରାଯାଇଥିବାବେଳେ ସହରର ୭ଟି ସ୍ଥାନରେ ସଶସ୍ତ୍ର ପୋଲିସ ବଳ ମୃତୟନ କରାଯାଇଛି । ଗ୍ରାମାଞ୍ଚଳରୁ ସହର ଭିତରକୁ ଥିବା ୧୦ଟି ସଂଯୋଗୀକରଣ ରାସ୍ତାରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି । ସହରର ୨୬ଟି ଛକଜାଗାରେ ମଧ୍ୟ ପୋଲିସ ମୃତୟନ କରାଯାଇଛି । ୮ଟି ବାଇକରେ ଭିଡ ସମୟରେ ସହର ଭିତରେ ପୋଲିସ ସୁରକ୍ଷା ବଳ କର୍ମଚାରୀ ପଇଁତରା ମାରୁଛନ୍ତି । ଏଥିପାଇଁ ୨୪ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରାତି ଗୋଟାଏରୁ ସକାଳ ୬ଟା ପର୍ଯ୍ୟନ୍ତ(ଜିରୋ ଆୱାର) ପାଇଁ ୩ଟି ବୋଲେରୋ ଗାଡିରେ ସହର ଭିତରେ ପୋଲିସ ପଇଁତରା ମାରିବାର ବ୍ୟବସ୍ଥା କରାଯାଇଛି । ୩ଜଣ ଡିଏସପି ୬ଘଣ୍ଟା କରି ପୁରୁଣା ବସଷ୍ଟାଣ୍ଡରେ ଥିବା ନିୟନ୍ତ୍ରଣ କକ୍ଷରେ ରହି ଇନିସପେକ୍ଟର ଓ ସବଇନିସପେକ୍ଟରଙ୍କ ସମେତ ୩ ସେକ୍ସନ ଫୋର୍ସ ଧରି ଦାୟିତ୍ୱ ନିର୍ବାହ କରୁୁଛନ୍ତି । ୧୨ଜଣ ପୋଲିସ କର୍ମଚାରୀଙ୍କୁ ଭିଡିଓଗ୍ରାଫି ଦାୟୀତ୍ୱରେ ରଖାଯାଇଛି । ୧୫ଜଣ ପୋଲିସ କର୍ମଚାରୀ ସାଧା ପୋଷାକରେ ଭିଡ ଭିତରେ ବୁଲୁଛନ୍ତି । ଏ ସବୁ କାର୍ଯ୍ୟ ତଦାରଖ ପାଇଁ ଜଣେ ଅତିରିକ୍ତ ଏସପି, ୯ଜଣ ଡିଏସପି, ୧୭ଜଣ ଇନିସପେକ୍ଟର ଓ ୨୯ଜଣ ସବଇନିସପେକ୍ଟରଙ୍କୁ ଦାୟିତ୍ୱରେ ରଖାଯାଇଛି । ଗଜଲକ୍ଷ୍ମୀ ପୂଜାପାଇଁ କେନ୍ଦ୍ରାପଡାକୁ ୨୨ପ୍ଲାଟୁନ ଫୋର୍ସ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ପ୍ଲାଟୁନ ପୋଲିସ ଫୋର୍ସକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ମେଲଣ ଏବଂ ଭସାଣୀ ସମୟରେ ଅବଶିଷ୍ଟ ୬ ପ୍ଲାଟୁନ ଫୋର୍ସଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିନିମୁହାଣୀ, ଗରାପୁର ଡାକବଙ୍ଗଳା ଛକ, ନୂଆବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ବଡହାଟ ଓ କେଶପୁର ବଜାରରେ ସମୁଦାୟ ୬ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇ ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି ।