ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣରେ ଓଡ଼ିଶାରେ ୩ ଚୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କ ଠାରେ ସମ୍ମାନୀତ ହେବାପାଇଁ ଓଡିଶାରେ ତିନି ଜଣଙ୍କୁ ଚୟନ କରାଯାଇଛି । ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ପୋଲାକି ସଞ୍ଜିବ ଅନ୍ୟତମ । ମାତ୍ର ପ୍ରାୟ ନଅ ଫୁଟ ଓସାରିଆକୁ ପ୍ରାୟ ୫୦ଫୁଟ ଲମ୍ବ ରେ ଘର ଉପରେ ମାତ୍ର ଛାତଟିଏ ପଡ଼ିଛି । ଘରକୁ ସାମନା ପଟରୁ ଦେଖିଲେ ଜଣେ ନିଶ୍ଚିତ ଭାବେ କହିବ ଯେ ଏହା ଦୁଇ ମହଲା ବିଶିଷ୍ଟ ଘର ଏବଂ ଏହା ଜଣେ ଧନୀ ଲୋକର ଘର ବୋଲି । କାଶୀନଗର ଗ୍ରାମର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସମ୍ମାନୀତ ହେବା ପାଇଁ ଡାକରା ଆସିବା ନେଇ ସଞ୍ଜୀବ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ସାରା ରାଜ୍ୟରୁ ଏଥିପାଇଁ ୩ ଜଣ ଚୟନ ହୋଇଥିବା ବେଳେ ସେଥି ମଧ୍ୟରୁ କାଶୀନଗର ୫ ନଂ ୱାର୍ଡ ବାସିନ୍ଦା ପୋଲାକି ସଞ୍ଜୀବ ଅନ୍ୟତମ ।ପୋଲାକୀ ସଞ୍ଜିବ ଜଣେ ଗରିବ ଚାଷୀ ଓ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ଚଳାଇ ଆସୁଛନ୍ତି । ଏଥିସହିତ ରହିବା ପାଇଁ ଭଲ ଘରଟିଏ ନ ଥିବା ଯୋଗୁଁ ଚିନ୍ତାରେ ପଡି ଯାଇଥିଲେ । ତାଙ୍କ ସ୍ଵପ୍ନ ଥିଲା ଯେ କେମିତି ଭଲ ଘର ବନେଇ ପରିବାର ସହ ଖୁସିରେ ରହିବେ । ଏଥିପାଇଁ ତାଙ୍କୁ ବହୁବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ସେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବା ଯୋଗୁଁ ଘର ତିଆରି କରିବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇ ପଡିଥିଲା । ଠିକ୍ ସେହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ଘର ପାଇଁ ଏକ ସୁଯୋଗ ଆଣି ଦେଇଥିଲା । ୨୦୧୮ ମସିହାରେ ପିଏମ୍ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ତାଙ୍କୁ ଚୟନ କରାଯିବା ସହ କାର୍ଯ୍ୟାଦେଶ ମଧ ମିଳିଥିଲା । ଏହି ଯୋଜନାର ଦୁଇ ଲକ୍ଷ ଅର୍ଥ ରାଶି ସହାୟତା ସହ କିଛି ଜମା ରଖିଥିବା ଟଙ୍କାରେ ସେ ବର୍ତ୍ତମାନ ଏକ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣ କରି ଅନ୍ୟ ହିତାଧିକାରୀ ପାଇଁ ସେ ବର୍ତ୍ତମାନ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି । ଏଥିପାଇଁ ପୋଲାକି ସଂଜିବଙ୍କ ଘର ପାଇଁ ତାଙ୍କ ନାମ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୁରସ୍କାର ପାଇଁ ଚୟନ କରାଯାଇଛି । ଆସନ୍ତା ୨୧ ତାରିଖ ଦିନ ଗୁଜରାଟର ରାଜକୋଟ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ପୂର୍ଣ୍ଣ ଉତ୍ସବରେ ତାଙ୍କୁ ସମ୍ମାନୀତ କରାଯିବା ସହ ପୁରସ୍କୃତ କରାଯିବ । ଏଥିପାଇଁ ସେ ସରକାରଙ୍କୁ ବିଶେଷ ଧନ୍ୟବାଦ୍ ଜଣାଇଛନ୍ତି । କାଶୀନଗର ଏନ୍ଏସି ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ଚରଣ ବେହେରା ଏ ନେଇ ହିତାଧିକାରୀ ସଞ୍ଜୀବଙ୍କୁ ବହୁ ପ୍ରଶଂସା କରିବା ସହ ଅନ୍ୟ ହିତାଧିକାରୀ ମାନଙ୍କ ପାଇଁ ସେ ଜଣେ ଆଦର୍ଶ ପାଲଟିଥିବା କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ