୬୩ତମ ସୁନହଟ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):୬୩ତମ ସୁନହଟ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଉଦଘାଟନ କରିବା ସହିତ ତତ୍କାଳୀନ ସମୃଦ୍ଧ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ । ବିଶେଷ କରି ଓଡ଼ିଆ ପୁଅଙ୍କ ଦୁଃସାହସିକ ସାମୁଦ୍ରିକ ଜୟଯାତ୍ରା ଓ ବିଦେଶ ବ୍ୟବସାୟର ଇତିହାସ ଉତ୍ତର ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଚୀନ ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ସୁନହଟ ବୋଇତ ବନ୍ଦାଣ ଉତ୍ସବ କମିଟିର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଉତ୍ସବ କେବଳ ଅତୀତର ସ୍ମୃତି ରୋମନ୍ଥନ କରୁନାହିଁ ବରଂ ସୁବର୍ଣ୍ଣ ଇତିହାସ ସମ୍ପର୍କରେ ଉତ୍ତର ପିଢ଼ିଙ୍କୁ ଅବଗତ କରାଇ ଚାଲିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକ ତଥା ସମାଜସେବୀ ସନ୍ତୋଷ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଉତ୍ସବ କମିଟି ସଭାପତି ଡାକ୍ତର ଶାନ୍ତନୁ ଦାସ ଏଥିରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସାହିରୁଲ ହକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଅମୃତାଂଶୁ ପଟ୍ଟନାୟକ, ପ୍ରମୋଦ କୁମାର ଦାସ ଓ ସାଥୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଗୌତମ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଷଲ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଉପ-ସଭାପତି ବାସୁଦେବ ପଟ୍ଟନାୟକ, ବିକାଶ କୁମାର ପଣ୍ଡା, ସମ୍ପାଦକ ସୁସମ ଦାସ, ପ୍ରଦୀପ ପତି, ସହ-ସମ୍ପାଦକ ନିହ।।ର ରଞ୍ଜନ ରାଉତ, କାର୍ତ୍ତିକ ଚରଣ ବଳ, ସୁଶାନ୍ତ ଦାସ, ଉଦୟ କୁମାର ଦାସ, ସନ୍ଦୀପ ଦେ, ଜୀବନ ପାଣି, ଅଜୟ ବେହେରା, ଭାସ୍କର ଦାସ, କୋଷାଧ୍ୟକ୍ଷ ବୀରେଶ୍ୱର ଦାସଙ୍କ ସମେତ କମିଟି ସଦସ୍ୟମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


