ଏସଏଚଜି ମହିଳାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ଭାରତ ଯୋଡ଼ ତଥା ଓଡ଼ିଶା ପରିବର୍ତ୍ତନ ଯାତ୍ରା ପରିପ୍ରେକ୍ଷୀରେ ଗୁରୁବାର ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆଳାପ ଆଲୋଚନା କରିଛନ୍ତି । ମିଶନ ଶକ୍ତି ମହିଳାମାନଙ୍କୁ ଶସକ୍ତ କରିବା ପରିବର୍ତ୍ତେ ବିଜେଡ଼ି ଦଳର ଭୋଟ ବ୍ୟାଙ୍କ ସୃଷ୍ଟିଗୁ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ବାସ୍ତବରେ ମହିଳାମାନେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇ ପାରୁନାହାଁନ୍ତ । ସେମାନଙ୍କ ପାଇଁ ପ୍ରଶିକ୍ଷଣ, ଉତ୍ପାଦନ ଭିତିକ ପ୍ରକଳ୍ପ ପ୍ରସ୍ତୁତ କରିବା, ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ବଜାର ସୃଷ୍ଟି ଓ ସହଯୋଗ, ସେମାନଙ୍କ ସାମାଜିକ ନିରାପତ୍ତା କ୍ଷେତ୍ରରେ ମିଶନ ଶକ୍ତି ଯେ ବିଫଳ ହୋଇଛି, ଏକଥା ମହିଳା ମାନେ ପ୍ରକାଶ କରିଥିଲେ । ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ମହିଳା ମାନଙ୍କୁ ବିଜେଡି ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଦୁର୍ଭାଗ୍ୟ ଜନକ । କଂଗ୍ରେସ ହିଁ ମହିଳା ମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ମହିଳା ଗ୍ରୁପ ଗଠନ କାର୍ଯ୍ୟ ଆରମ୍ଭ କରିଥିଲା ଯାହା ଆଜି ପଥ ଭ୍ରଷ୍ଟ । କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋସ୍ନା ସେନାପତି, ପ୍ରତିମା ପଣ୍ଡା, ଅଞ୍ଜଳି ପ୍ରଧାନ, ଜୟନ୍ତୀ ନାୟକ, ପୁଷ୍ପାଞ୍ଜଳି ପଣ୍ଡା, ବର୍ଷା ରାଣୀ ନାୟକ, ଦମୟନ୍ତୀ ମହାନ୍ତି, ଅଞ୍ଜଳି ପଣ୍ଡା, ପ୍ରିୟଙ୍କା ମିସ୍ତ୍ରୀ, ସବିତା ବାରିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିର୍ଲା ଟାୟାର୍ସର ଛଟେଇ କର୍ମଚାରୀ ମାନଙ୍କ ସହିତ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ । ବିରଳା ଟାୟାର୍ସ ବନ୍ଦ ପ୍ରସଙ୍ଗକୁ ଆସନ୍ତା ଅଧିବେଶନ ବେଳେ କଂଗ୍ରେସର ବିଧାୟକମାନେ ବିଧାନସଭା ଉପସ୍ଥାପନ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଆଲୋଚନା ବେଳେ ରବି ନାରାୟଣ ପ୍ରଧାନ, ଶ୍ରୀକାନ୍ତ ଦଳେଇ, ଉଦୟ ଭାନୁ ନାୟକ, ଦୀପକ ନାୟକ, ରଶ୍ମିରଞ୍ଜନ ରାଉତ, ମାନସ ପଣ୍ଡା, ଦୀପକ ପଣ୍ଡା, ଗୁରୁ ପ୍ରସାଦ ଦାସ ପ୍ରମୁଖ ବିରଳା ଟାୟାର୍ସ ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ । ସକାଳେ ପିସିସି ସଭାପତି ଶରତ ପଟ୍ଟନାୟକ, ଜିଲ୍ଲା ସଭାପତି ସଂଜୀବ ଗିରି, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବ ଜ୍ୟୋତି ପଟ୍ଟନାୟକ ଝାଡେଶ୍ୱର୍ ମନ୍ଦିର, ଭୁଜା ଖିଆ ପିର, ଚର୍ଚ୍ଚ ଆଦି ଧର୍ମ ପୀଠ ପରିଦର୍ଶନ କରିଥିଲେ ।


