ପଦ୍ମପୁରରେ ବି କଡ଼ା ପ୍ରତିରୋଧ କରିବେ ଚାଷୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ୨୨ ବର୍ଷ ଧରି ଚାଲିଥିବା ବିଜେଡ଼ି ଶାସନରେ ଚାଷୀ ତଳିତଳାନ୍ତ ହୋଇଛନ୍ତି । ନାଁ ସେମାନଙ୍କର ଅର୍ଥନୈତିକ ଉନ୍ନତି ହୋଇଛି ନା ସେମାନଙ୍କର ସାମାଜିକ ସ୍ଥିତି ବୃଦ୍ଧି ପାଇଛି । ନବୀନଙ୍କ ପାଞ୍ଚପାଳି ଶାସନରେ ନେତା, ଚାକିରୀଆ ଘିଅ ମହୁରେ ଭାସିଲା ବେଳେ ଚାଷୀପୁଅ ଘରଛାଡ଼ି ଦାଦନ ଯାଇଛି । ସୁନାଥାଳି ଜମି ଖରିପାଟରେ ପରିଣତ ହୋଇଛି । ଚାଷୀ ଷଣ୍ଢ, ମାଙ୍କଡ଼, ବାରାହା, ହାତୀ ଉପଦ୍ରବରେ ଚାଷ ଛାଡ଼ିଛନ୍ତି । ଧାନ ସଂଗ୍ରହ ସମୟରେ ମିଲର କୋଟିପତି ହେଲାବେଳେ ଚାଷୀ କୁଇଣ୍ଟାଲରେ ୧୦ କେଜି କାଟ ଦେଇଛି । ଜଳସେଚନ, ଶୀଳଳଭଣ୍ଡାର, ଗୋଦାମ ଘର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କେଉଁ ଗୋଟିକରେ ସରକାର ଆଗ୍ରହ ପ୍ରକାଶ କରିନାହାଁନ୍ତି । ଜଳସେଚନ କଥା ଅତ୍ୟନ୍ତ ନୈରାଶ୍ୟଜନକ । ଓଡ଼ିଶା ରାଜ୍ୟର ସରକାରମାନେ ଚାଷକୁ ଓ ଚାଷୀକୁ କେନ୍ଦ୍ରରେ ରଖି ବଜେଟର ବହୁ ଅର୍ଥ ଚାଷୀଙ୍କ ପାଇଁ ବ୍ୟୟ କଲାବେଳେ ଏଠି ଚାଷୀ ପ୍ରଶାସନର ନାଲିଫିତା ତଳେ ତ୍ରାହି ତ୍ରାହି ଡ଼ାକୁଛି । ପଡ଼ୋଶୀ ତେଲେଙ୍ଗାନା ରାଜ୍ୟରେ ଚାଷୀ ଚାଷ କଲେ ଏକରପିଛା ୧୦ ହଜାର ଟଙ୍କା ପ୍ରୋତ୍ସାହନ ଥିଲାବେଳେ ଅନେକବର୍ଷ ଧରି ଛତିଶଗଡ଼ ଚାଷୀମାନେ ବୋନସ ପାଇ ଆସୁଛନ୍ତି । ଏଠି ବୋନସ ଓ ପ୍ରୋତ୍ସାହନ କଥା ଛାଡ, ଚାଷୀ ଧାନ ଗଣ୍ଡାକ କେବେବି ସୁରୁଖୁରୁରେ ବିକ୍ରି କରିପାରୁନି । ଅଦା, ମକା, ପିଆଜ, ପନିପରିବା ଚାଷୀ କେହି ବି ସରକାରର ଶୁଭଦୃଷ୍ଟିରେ ନାହାଁନ୍ତି । କନ୍ଧମାଳ ଅଦାଚାଷୀ, ନବରଙ୍ଗପୁର ମକାଚାଷୀ, ଅନୁଗୁଳ ଓ ବଲାଙ୍ଗୀରର ପିଆଜଚାଷୀ ସବୁଦିନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଚାଲିଥିବା ନବୀନ ସରକାର ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ବୋଲି କେବେଠୁ ଭୁଲିଗଲେଣି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଦରମା ଓ ବିଧାୟକମାନଙ୍କର ସୁବିଧା ସୁଯୋଗ କଥା ଉଠିଲେ ରାଜ୍ୟରେ ଅର୍ଥର ଅଭାବ ପଡ଼େନାହିଁ । କିନ୍ତୁ ଚାଷୀଙ୍କ ପେନସନ ଦେବା କଥା ଉଠିଲେ କିମ୍ବା କୃଷି ଉତ୍ପାଦର ଦରବୃଦ୍ଧି କଥା ଉଠିଲେ, ବିଜେଡ଼ି ନେତା ଓ ସରକାର ନିରବୀ ଯାଆନ୍ତି । ସତେ ଯେମିତି ଓଡ଼ିଶାର ଚାଷୀମାନେ ରୋହିଙ୍ଗ୍ୟା ଶରଣାର୍ଥୀ । କାଳିଆ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ କହି ପରେ ୪ ହଜାର କରିଦେବା ଏହାର ଉତ୍କୃଷ୍ଟ ଉଦାହରଣ । ସେହିଭଳି ରିଲିଫ କୋଡ୍ ସଂଶୋଧନ ନହେବା ଏବଂ ଆଳୁ, ମାଛ, ଅଣ୍ଡା, ପିଆଜ, ତେଲ, ଫୁଲ କୌଣସିଟିରେ ଓଡ଼ିଶା ଆତ୍ମନିର୍ଭରଶୀଳ ନହେବା ଏହାର ସର୍ବୋତ୍କୃଷ୍ଟ ଉଦାହରଣ । ପଦ୍ମପୁରରେ ଚାଷୀମାନେ ଭୋଟ ଦେବା ପୂର୍ବରୁ ମୁକ୍ତ ଭାବରେ ଆତ୍ମଚିନ୍ତନ କରନ୍ତୁ, ରାଜ୍ୟରେ ଚାଲିଥିବା ସରକାର ତାଙ୍କ ପାଇଁ କଣ କରିଛି? ଏହାକୁ ନେଇ ମାସଧିକ କାଳ ଚାଷୀମାନେ ବିତର୍କ କରିବାକୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ