ଗଞ୍ଜାମ ଜିଲ୍ଲା ସ୍ତରୀୟ ସଞ୍ଚୟ ପକ୍ଷ ପାଳିତ ଯୁବ ବୟସରୁ ଛାତ୍ରଛାତ୍ରୀଗଣ ସଞ୍ଚୟ ପ୍ରତି ଆକୃଷ୍ଟ ହେବା ଜରୁରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟତା ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବ ଛତ୍ରପୁର ଜିଲ୍ଲା ସୂଚନୱା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ଜଣାଇଥିଲେଯେ ଜନସାଧାରଣ ନିଜ କଷ୍ଟ ଅର୍ଜିତ ଅର୍ଥକୁ ଅଜଥା ଖର୍ଚ୍ଚ ନକରି ସ୍ବଳ୍ପ ସଞ୍ଚୟର ମନୋବୃତି ରଖିଲେ ସେହି ସ୍ବଳ୍ପ ସଞ୍ଚୟ ଅର୍ଥ ଜରୁରୀ ଆବଶ୍ୟକ ବେଳେ ବିନିଯୋଗ କରିହେବ । ଏଥି ନିମନ୍ତେ ଛାତ୍ର ଜୀବନରୁ ସଞ୍ଚୟ ଶିଖିବା ଆବଶ୍ୟକ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବୈଷୟିକ ଯନ୍ତ୍ରୀ ମନୋଜ କୁମାର ବେହେରା ଯୋଗ ଦେଇ ସ୍ବଳ୍ପ ସଞ୍ଚୟ ପ୍ରତି ପ୍ରତିଟି ପରିବାରର ମୁଖ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଜଣାଇ ଛାତ୍ରଛାତ୍ରୀ ମାନେ ସଞ୍ଚୟ ପ୍ରତି ଆଗ୍ରହୀ ହେବାକୁ ପ୍ରବର୍ତ୍ତାଇ ଥିଲେ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଗଞ୍ଜାମ ହରି ଚରଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭେଙ୍କଟ ରାଓ ରେଡ୍ଡୀ ପ୍ରାଧ୍ୟାପକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପାଢୀ ଏବଂ ସମାଜ ସେବୀ ଅରୁଣ କୁମାର ଶତପଥୀ ବିଚାରକ ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ପ୍ରିତି ସୌରଭ ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର ବ୍ରହ୍ମପୁର ପ୍ରଥମ, ମମତା ନାହାକ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦିତୀୟ ଓ କେ. ନିହାରୀକା, ଶଶୀ ଭୂଷଣ ରଥ ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ ଶ୍ରୀମାନ ବିଷ୍ଣ ପ୍ରସାଦ ଶତପଥୀ, କାର୍ମେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର,ପ୍ରଥମ, ଶୁଭନ୍ ଶିଖା ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରାମହରି ନଗର ବ୍ରହ୍ମପୁର ଦ୍ବିତୀୟ ଓ ଲିପ୍ସା ରାଣୀ ଗୌଡ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ରାଶି ୧୫୦୦/-. ୧୦୦୦/- ଓ ୫୦୦/- ଟଙ୍କା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସଞ୍ଚୟ ପ୍ରତି ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ପ୍ରଭାକର ରାଓ, କ୍ଷୀରୋଦ ରଥ ଏବଂ ସ୍ବଳ୍ପ ସଞ୍ଚୟ ବିଭାଗର କନିଷ୍ଠ ରାଜସ୍ବ ସହାୟିକା ରଶ୍ମିରାଣୀ ସାହୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ