ଓଡ଼ିଶାରେ ପୁଣି ହକି ବିଶ୍ୱକପ୍- ଭୁବନେଶ୍ୱର ଓ ରାଉରକେଲାରେ ହେବ ମ୍ୟାଚ୍

ଭୁବନେଶ୍ୱର : ଏସୀୟ ଦୌଡ଼କୁଦ, ହକି ଚାମ୍ପିଅନ୍ସ ଟ୍ରଫି, ବିଶ୍ୱକପ୍ ହକି ଏବଂ ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ସମଗ୍ର ବିଶ୍ୱରୁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା ଓଡ଼ିଶା । ପୁଣିଥରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି ରାଜ୍ୟ । ଏହା ହେଉଛି ୨୦୨୩ ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱ କପ୍ ଓଡ଼ିଶାରେ ଖେଳାଯିବ ବୋଲି ବୁଧବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଆୟୋଜିତ ଏକ ସ୍ୱତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ସଭାପତି ନରେନ୍ଦ୍ର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ପରେ ଓଡ଼ିଶା ଯେ ବିଶ୍ୱହକିର ପ୍ରମୁଖ କେନ୍ଦ୍ର ପାଲଟିସାରିଛି ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଏହି ହକି ବିଶ୍ୱକପ୍ ୨୦୨୩ ମସିହା ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୩ ହକି ବିଶ୍ୱକପ୍ ଓଡ଼ିଶାରେ ହେବ । ସେଥିପାଇଁ ମୁଁ ବହୁତ ଖୁସି, ଆପଣମାନେ ଖୁସି ତ? ଏଥର ବିଶ୍ୱକପ୍ ରାଉରକେଲା ଏବଂ ଭୁବନେଶ୍ୱରରେ ହେବ । ଏହାକୁ ଷ୍ଟାଡିୟମରେ ଉପସ୍ଥିତ ଥିବା ପାଖାପାଖି ୧୫ ହଜାର ହକି ପ୍ରେମୀ କରତାଳି ମାରି ସ୍ୱାଗତ କରିଥିଲେ । ହକି ବିଶ୍ୱକପର ଏହି ସଂସ୍କରଣ ରାଜଧାନୀ ଭୁବନେଶ୍ୱର ସହ ଓଡ଼ିଶା ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ମଧ୍ୟ ଖେଳାଯିବ । ଓଡ଼ିଶା ମଧ୍ୟ ଲାଗାତାର ଦୁଇଟି ବିଶ୍ୱକପ୍ ଆୟୋଜନ କରିଥିବା ହାତଗଣତି ଭାରତୀୟ ପ୍ରଦେଶ ମଧ୍ୟରେ ସ୍ଥାନ ପାଇବ । ଦେଶର କ୍ରୀଡ଼ା ରାଜଧାନୀ ମାନ୍ୟତା ପାଇଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ବିଶ୍ୱକପ୍ ୨୦୨୩ ଖେଳାଯିବ । ତା’ ସହ ଭୁବନେଶ୍ୱର ପରେ ରାଉରକେଲା ହକି ବିଶ୍ୱକପ୍ ଆୟୋଜନ କରିବାରେ ରାଜ୍ୟର ଦ୍ୱିତୀୟ ସହର ହେବ । ମୁଖ୍ୟମନ୍ତ୍ରୀ  ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଇବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସେ ୨୦୧୮ ହକି ବିଶ୍ୱକପ୍ର ସଫଳତାକୁ ନେଇ ଏକ ପ୍ରମାଣିକ ଚ୍ଚିତ୍ର ଏବଂ କଫି ଟେବୁଲ ବୁକର ଉନ୍ମୋଚନ କରିଥିଲେ । ସୂଚନାଯୋଗ୍ୟ ଯେ ୨୦୨୩ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ ସହ ମାଲେସିଆ ଏବଂ ବେଲଜିୟମ ମଧ୍ୟ ଥିଲେ । ହେଲେ ଏଫ୍ଆଇଏଚ୍ (ଆନ୍ତର୍ଜାତିକ ହକି ମହାସଂଘ) ଭାରତକୁ ବାଛିଥିଲା । ଓଡ଼ିଶାର ହକି ପ୍ରେମ ଏବଂ ୨୦୧୮ ବିଶ୍ୱକପ୍ ମନ୍ତ୍ରମୁଗ୍ଧ ଆୟୋଜନକୁ ଆଖି ଆଗରେ ରଖି ହକି ଇଣ୍ଡିଆ ଓଡ଼ିଶାରେ ପୁଣି ଥରେ ବିଶ୍ୱକପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ଓଡ଼ିଶା ସରକାରଙ୍କ ସହଭାଗିତାରେ ବିଶ୍ୱକପ୍ ପୁଣିଥରେ ଲୋକପ୍ରିୟତାର ନୂଆ କୀର୍ତ୍ତିମାନ ଛୁଇଁବ ବୋଲି ବାତ୍ରା ଆଶା ପ୍ରକାଶ କରିଥିଲେ । ଓଡ଼ିଶାକୁ ପୁଣି ଥରେ ବିଶ୍ୱକପ୍ ଆୟୋଜକ ଭାବେ ବାଛିବା ନେଇ ବାତ୍ରା କହିଥିଲେ ଯେ, ଭାରତ ଆୟୋଜନ ଅଧିକାର ପାଇବା ପରେ ବିଶ୍ୱକପ୍ ପାଇଁ ରାୟପୁର ଏବଂ ଦିଲ୍ଲୀକୁ ବିଚାରକୁ ନେଇଥିଲୁ । ତେବେ ଭୁବନେଶ୍ୱର ସବୁଦୃଷ୍ଟିରୁ ଭଲ ବୋଲି ହୃଦୟଙ୍ଗମ କଲୁ । ଏବେ ରାଉରକେଲା ଏଥିରେ ସାମିଲ ହୋଇଛି । ସେଠାକାର ଭିତ୍ତିଭୂମିକୁ ମଧ୍ୟ ଓଡ଼ିଶା ସରକାର ବିଶ୍ୱ ସ୍ତରୀୟ କରିବେ ବୋଲି ମୋର ଦୃଢ଼ ଆଶା ରହିଛି । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଏବଂ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ