‘ମାନା’ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ମିଳିତ ନିଶା ନିବାରଣ ଅଭିଯାନ (ମାନା) ବାଲେଶ୍ୱର ଜିଲା ଶାଖା ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ବୁଧବାର ପାଳିତ ହୋଇଯାଇଛି । ସଂଗଠନର କର୍ମକର୍ତ୍ତା ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁୁ ମହାପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଯୁଗଜନ୍ମା ନବକୃଷ୍ଣଙ୍କ ଜୟନ୍ତୀ ଉତ୍ସବ ବିଭିନ୍ନ ଅଞ୍ଚଳରେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ ହେବା ଉଚିତ ବୋଲି ମତ ଦେଇଥିଲେ । ଶିକ୍ଷାବିତ ଡ. ହରିଶ୍ଚନ୍ଦ୍ର ବେହେରା, ସିଦ୍ଧିବିନାୟକ ବିଦ୍ୟାଳୟର ନିର୍ଦ୍ଦେଶକ ସୁଧାଂଶୁ ଶେଖର ପଣ୍ଡା, ଅନୁଷ୍ଠାନର ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୫୬ ମସିହାର ନିଶା ନିବାରଣ ଆଇନ ସଂପର୍କରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ନୀତିନିଷ୍ଠ ନବକୃଷ୍ଣ’ ପୁସ୍ତକ, ପ୍ରମାଣପତ୍ର ଓ ଉପାୟନ ଦେଇ ପୁରସ୍କୃତ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଗୀତାଞ୍ଜଳି ସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଫୁଲ୍ଲ କୁମାର ଦାସ, ତ୍ରିଦୀବ ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଅର୍ଚ୍ଚନା ନନ୍ଦୀ, ସରସ୍ୱତୀ ପଣ୍ଡା, କମଳାକାନ୍ତ ଦାଶ, କ୍ରୀଷ୍ଣା ସାହା, କଲ୍ୟାଣୀ ନନ୍ଦ, ବାସନ୍ତୀ କର, ରାଜେନ୍ଦ୍ର ନାଥ ରାଉତ, ଗଙ୍ଗାଧର ପୃଷ୍ଟି, ରମେଶ ଚନ୍ଦ୍ର ଜେନା, ଚିତ୍ରାରାଣୀ ପାତ୍ର, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାରାମ ପ୍ରଧାନ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।


