ଜାନୁଆରୀ ୨୬ରୁ ଚାନ୍ଦିପୁର ବେଳାଭୂମି ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):୨୩ତମ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ଆୟୋଜନ ସମ୍ପର୍କିତ ଏକ ବୈଠକ ସ୍ଥାନୀୟ ସଦଭାବନା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁ, ବେଳାଭୂମି ମହୋତ୍ସବ କମିଟି ସଭାପତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସାଧାରଣ ସମ୍ପାଦକ ଆଇନଜୀବୀ ହରେକୃଷ୍ଣ ଦାଶ, ଉପ-ସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି, ସମ୍ପାଦକ କିଶୋର ଦାସ, ଭାଗବତ ସାହୁ ଓ ସମରେନ୍ଦ୍ର ନାଥ ଦାସ ଏବଂ କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ୨୩ତମ ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲାପାଳଙ୍କ ପ୍ରସ୍ତାବ କ୍ରମେ ଏହି ମହୋତ୍ସବର ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଗଲା ।ଏଥି ସହିତ ୧୩ ଗୋଟି ସବ-କମିଟି ମଧ୍ୟ ଗଠନ କରାଗଲା । ୪ଦିନିଆ ମହୋତ୍ସବରେ ବିଦ୍ୟୁତ ବିଭ୍ରାଟ ରୋକିବା ତଥା ଆବଶ୍ୟକ ଲୋଡ଼ ଉପଲବ୍ଧ ପାଇଁ ଅସ୍ଥାୟୀ ଟ୍ରାନ୍ସଫର୍ମାର ବସାଇବାକୁ ଏହି ବୈଠକରେ ଧାର୍ଯ୍ୟ ହୋଇଛି । ସେହିଭଳି ମହୋତ୍ସବ ଆରମ୍ଭ ପୂର୍ବରୁ ଚାନ୍ଦିପୁରକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଶେଷ ପାଇଁ ଗୁରତ୍ୱ ଦିଆଯାଇଛି । ଜନଗହଳି ନିୟନ୍ତ୍ରଣ ସାଙ୍ଗକୁ ଯାନବାହନ ଷ୍ଟାଣ୍ଡ ସ୍ଥାନ ନିରୂପଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଅବଲମ୍ବନ କଡ଼ାକଡ଼ି କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଗାଡ଼ିଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣରେ ସ୍ଥାନୀୟ ସରପଞ୍ଚ ତପନ ଜେନା ପୁଲିସକୁ ସହଯୋଗ କରିବେ ବୋଲି ଏହି ବୈଠକରେ ସମ୍ମତ୍ତି ଦେଇଛନ୍ତି । ମହୋତ୍ସବର ପ୍ରତି ସଂଧ୍ୟାରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବଲିଉଡ ଷ୍ଟାର ଓ ଟ୍ରୁପଙ୍କୁ ଆଣିବା ପାଇଁ ସିଦ୍ଧାନ୍ତ ହୋଇଛି । ପ୍ରତିବର୍ଷ ଭଳି ଉତ୍ସବ କମିଟି ପକ୍ଷରୁ ଏଥିର ମଧ୍ୟ ସ୍ମରଣିକା ‘ସୁବର୍ଣ୍ଣସିକତା’ ପ୍ରକାଶ ପାଇବ ଓ ଏଥିରେ ପ୍ରମୁଖ ଫଟୋଗୁଡ଼ିକ ସ୍ଥାନୀତ କରାଯିବ । ସଂସ୍କୃତି ସମ୍ପନ୍ନ ବାଲେଶ୍ୱର ଜିଲା ପାଇଁ ଗୌରବ ଆଣିଥିବା ଏହି ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବକୁ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ନିମନ୍ତେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଜିଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସାଂସ୍କୃତିକ ଅଧିକାରୀ ଆଶିଷ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ମହୋତ୍ସବ କମିଟି କର୍ମକର୍ତ୍ତା ଡ. ଶ୍ରୀମାନ ଶ୍ରୀଚନ୍ଦନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ