ହରିଶ୍ଚନ୍ଦ୍ର ହରିଲୁଟରେ ଗିରଫ ପରେ ବିଭିନ୍ନ ପଞ୍ଚାୟତରେ ଅଚଳାବସ୍ଥା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ଜୈନିକ ପିଇଓଙ୍କ ଗିରଫ ପରେ ଏବେ ୬ଟି ପଞ୍ଚାୟତରେ ପଞ୍ଚାୟତରେ ଅଚଳାବସ୍ଥା ଦେଖା ଦେଇଛି । ଏପରିକି ୨୪ତାରିଖ ଅତିକ୍ରମ କରିଥିଲେ ମଧ୍ୟ ଅପଲାଇନରେ ପାଉଥିବା ଗରିବ ବୃଦ୍ଧବୃଦ୍ଧା ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ହତାଶ ହୋଇପଡିଛନ୍ତି । ଏପରିକି କିଛି ପିଇଓଙ୍କୁ ଏହିସବୁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସଂପୃକ୍ତ ପିଇଓଙ୍କ ମାନମାନୀ ଯୋଗୁଁ ଭତ୍ତା ବଣ୍ଟନ ହୋଇପାରି ନାହିଁ । ସୁଚନାରୁ ଜଣାଯାଇଛି ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ବିଡିଓଙ୍କ ଅଭିଯୋଗ ଆଧାରରେ ସୋସୋ ଥାନାରେ ସରପଞ୍ଚ, ପିଇଓ ଏବଂ ଜିଆରଏସଙ୍କ ନାମରେ ମାମଲା ରୁଜୁ ହେବାସହ ପିଇଓ ନରହରି ନାୟକଙ୍କୁ ସୋସୋ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପର୍ଯ୍ୟନ୍ତ ତାଙ୍କ ଜାମିନି ମିଳିନଥିବାବେଳେ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଇତିମଧ୍ୟରେ ପ୍ରତ୍ୟେକ ପଞ୍ଚାୟତକୁ ବୃଦ୍ଧବୃଦ୍ଧାଙ୍କ ଭତ୍ତା ପଠାଇ ଦିଆଯାଇଥିବାବେଳେ ସଂପୃକ୍ତ ପିଇଓଙ୍କ ଅଧିନରେ ଥିବା ପଞ୍ଚାୟତ ଗୁଡିକର ଭତ୍ତା ଟଙ୍କା ଉଠାଣ ହୋଇପାରି ନାହିଁ । ଫଳରେ ଧନୁର୍ଜୟପୁର, କେ ବାଲିପାଳ, ହଦଗଡ ଓ ବଞ୍ଚୋ ଆଦି ପଞ୍ଚାୟତର ଭତ୍ତା ଟଙ୍କା ଉଠାଣ ହୋଇପାରିନି କି ବଣ୍ଟା ମଧ୍ୟ ହୋଇପାରିନି । ସେହିପରି ସୋସୋ ଓ ବାଲିବରେଇ ପଞ୍ଚାୟତର ଦାୟିତ୍ୱରେ ଥିବା ପିଇଓ ଅମିୟ ମାଝୀଙ୍କ ନାମରେ କୌଣସି ଅଭିଯୋଗ ହୋଇ ନଥିଲେ ମଧ୍ୟ ସେ କାଳେ ଗିରଫ ହେବେ ସେ ଭୟରେ ଆଗୁଆ ଜାମିନି ଆବେଦନ କରିବା ସହିତ ଗତ ୯ତାରିଖ ଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଯାହା ଫଳରେ ସୋସୋ ଓ ବାଲିବରେଇ ପଞ୍ଚାୟତରେ ଅଚଳାବସ୍ଥା ସୃଷ୍ଟିହେବା ସହ ଭତ୍ତା ଟଙ୍କା ଉଠାଣ କି ବଣ୍ଟନ ହୋଇପାରୁନାହିଁ । ସୋସୋ ଓ ବାଲିବରେଇ ପଞ୍ଚାୟତ ଦାୟିତ୍ୱ ନେବାକୁ ଜୈନିକ ପିିଇଓଙ୍କୁ ବିଡିଓ ଚିଠି କରିଥିଲେ ମଧ୍ୟ ସଂପୃକ୍ତ ପିଇଓ ଏହିସବୁ ପଞ୍ଚାୟତର ଦାୟିତ୍ୱ ନେବାକୁ ଅମଙ୍ଗ ହେବାରୁ ଏବେ ଅଚଳାବସ୍ଥା ଦେଖା ଦେଇଛି । ଜିଲ୍ଲାପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ