କପାଳେଶ୍ୱର ଗ୍ରାମପଞ୍ଚାୟତରେ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତରେ ଢଳେଇ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପାଞ୍ଚମାସ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସେହି ରାସ୍ତାଟି କଂକ୍ରିଟ ଢଳେଇ କରାଯାଇଥିଲା । ପୁନର୍ବାର ସେହି ରାସ୍ତା ଉପରେ ୨ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଢଳେଇ ରାସ୍ତା କରାଯାଉଛି । ସରପଞ୍ଚଙ୍କ ମର୍ଜିରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କପାଳେଶ୍ୱର ପଞ୍ଚାୟତର ୮ନମ୍ବର ୱାର୍ଡର ମୁସଲମାନ ବସ୍ତିରେ ଏହି କାର୍ଯ୍ୟ କରାଯାଉଛି । ଏହି ଗ୍ରାମଟି ଖୋଦ୍ କେନ୍ଦ୍ରାପଡା ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଗ୍ରାମ ଏବଂ ନିଜ ପଞ୍ଚାୟତ ଅଟେ । ସେହି ୱାର୍ଡର ସଂଖ୍ୟାଲଘୁ ବସ୍ତିରେ ୫ ମାସ ପୂର୍ବରୁ ନିର୍ମାଣ କରାଯାଇଥିବା କଂକ୍ରିଟ ଢଳେଇ ରାସ୍ତାର କୈାଣସି ସମସ୍ୟା ନଥିବା ଏବଂ କ୍ଷୟକ୍ଷିତ ହୋଇନଥିବା ବେଳେ ସେହି ରାସ୍ତା ଉପରେ କେଉଁ ଆଧାରରେ ପୁନର୍ବାର ଢଳେଇ ରାସ୍ତା ନିର୍ମାଣ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଥିବା ଅନୁଦାନର ୨ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ସେକ୍ ମୁକ୍ତାରଙ୍କ ଘର ଠାରୁ ସେକ୍ ଜୁମାଙ୍କ ଘର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ୍ ରାସ୍ତା ଢଳେଇ କରାଯାଉଛି । ଏହି ନିର୍ମାଣ କାର୍ଯ୍ୟର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଦା ପ୍ରସନ୍ନ ରାଉତ ରହିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଏହି ବେଆଇନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟ ହେଉଥିବା ରାସ୍ତା ନିକଟକୁ କୈାଣସି ଅଧିକାରୀ ଅଦ୍ୟାବଧି ଆସିନଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ବିଡିଓଙ୍କ ନିଜ ଗାଁ ହୋଇଥିଲେ ମଧ୍ୟ ଏହି ଘଟଣା ତାଙ୍କ ନଜରକୁ ଆସିବା ପରେ ମଧ୍ୟ ସେ କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ସରକାରୀ ଅର୍ଥ ହରିଲୁଟ୍ କରିବା ପାଇଁ ସରପଞ୍ଚଙ୍କର ଏହା ଏକ ପ୍ରୟାସ ବୋଲି ସେହି ୱାର୍ଡର ଅଧିବାସୀମାନେ ଅଭିଯୋଗ କରିବା ସହିତ ରାସ୍ତାର ବିନା କ୍ଷୟକ୍ଷତିରେ ଲକ୍ଷାଧିକ ଟଙ୍କାରେ ପୁନର୍ବାର ସେହି ରାସ୍ତା ନିର୍ମାଣ ହେଉଥିବାରୁ ଗଭୀର ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତର ଅନ୍ୟ ୱାର୍ଡ ଏବଂ ଗ୍ରାମ ଗୁଡିକରେ ରାସ୍ତା ନିର୍ମାଣ ପାଇଁ ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ଅନାବଶ୍ୟକ ଭାବେ ସେହି ରାସ୍ତାକୁ ନିର୍ମାଣ କରି ବିଲ୍ କରିନେବାକୁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି ।