ନଦୀ ପାରି ହୋଇ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାଳୟ ଅବା ଅଙ୍ଗନବାଡି କେନ୍ଦ୍ର ଯିବାକୁ ହେଲେ ଯିବା ବାଟରେ ପ୍ରବାହିତ ଚିରସ୍ରୋତା ନାଳ ସମସ୍ତଙ୍କ ବାଟ ଓଗାଳି ରହିଛି।ଚିରସ୍ରୋତା ଏଇ ନାଳ ବର୍ଷର ପ୍ରାୟ ୮ ମାସ ଅନେକ ସମସ୍ୟା ସୃଷ୍ଟି କରିଥାଏ।ଏପରି ସ୍ଥଳେ ଅନେକ ସମୟରେ ପାଠ ପଢାରେ ଡୋରି ବାନ୍ଧିବାକୁ ପଡିଥାଏ ଛାତ୍ରଛାତ୍ରୀଙ୍କୁ।ଗର୍ଭବତୀ ମହିଳା ଏହି ନାଳ ପାରି ହୋଇ ଗଲେ ଯାଇ କେନ୍ଦ୍ରର ପ୍ରଯୁଜ୍ୟ ସୁବିଧା ପାଇପାରିଥାଆନ୍ତି।ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେରଗୁଡା ଗ୍ରାମରେ।ବିକାଶର ସୂର୍ଯ୍ୟାଲୋକ ପଡିନଥିବା ଏହି ଗାଁ ଏବେବି ଅବହେଳିତ।ଏହି ଗ୍ରାମର କୋମଳମତୀ ଛୁଆଙ୍କୁ ପାଠ ପଢିବା ପାଇଁ ଗାଁରେ ବିଦ୍ୟାଳୟ ନଥିବା ହେତୁ ନିକଟସ୍ଥ ପୋଇଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡିଥାଏ। ହେଲେ ବାଟ ଓଗାଳି ବହୁଥିବା ଏହି ଲିଟିଜୋର୍ ନାଳ ଭିତରେ ପାରି ହୋଇ ଯିବାକୁ ପଡିଥାଏ।ରାସ୍ତା କିମ୍ବା ଏହି ନାଳ ଉପରେ ପୋଲ ନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ପୁର୍ବରୁ ଏହି ଗାଁରେ ଡିପିଇପି ମାଧ୍ୟମରେ ଏକ କେନ୍ଦ୍ର ଖୋଲାଯାଇଥିଲା ଯେଉଁଠି ପାଠ ପଢିବାର ସୁଯୋଗ ପାଇପାରୁଥିଲେ ଗାଁର ଛୁଆମାନେ।ଯାହା ବନ୍ଦ ହେବା ଫଳରେ ବର୍ତ୍ତମାନ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ।ନିର୍ବାଚନ ସମୟରେ ମଧ୍ୟ ମତଦାନ କରିବାକୁ ହେଲେ ସେଇ ନାଳ ପାରିହୋଇ ପୋଇଗୁଡା ବିଦ୍ୟାଳୟକୁ ଯାଇଥାନ୍ତି ଗ୍ରାମବାସୀ।ବର୍ତ୍ତମାନ ଏହି ଗ୍ରାମର ପ୍ରାୟ ୧୫ ଜଣ ଛୁଆ ପୋଇଗୁଡା ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ଏହି ନାଳ ଯୋଗୁଁ ବର୍ଷା ଦିନେ ଛୁଆଙ୍କ ବିଦ୍ୟାଳୟ ଯିବାରେ ବିପଦ ସୃଷ୍ଟି କରିଥାଏ।ଏପରି ସ୍ଥଳେ ଅଭିଭାବକ ମାନେ ନିଜନିଜ ଛୁଆକୁ ବିଦ୍ୟାଳୟ ଯିବାକୁ ବାରଣ କରିବାକୁ ବାଧ୍ୟ ହୋଇଥାନ୍ତି।ପ୍ରଶାସନ ଏହି ସମସ୍ୟାର ସମାଧାନ ପୁର୍ବକ ଏହି ନାଳ ଉପରେ ଏକ ପୋଲ ନିର୍ମାଣ ସହ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି।


