ପ୍ରଧାନମନ୍ତ୍ରୀ ନିଯୁକ୍ତି ସଂପ୍ରସାରଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା – ରାଜ୍ୟ ଖଦି ଓ ଗ୍ରାମ୍ୟୋଦଗ କମିଶନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସଂପ୍ରସାରଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୧୯- ୨୦୨୦ ଆର୍ଥିକ ବର୍ଷରେ ଏହି ଯୋଜନାରେ ଜିଲ୍ଲାର ୨୨ଟି ବ୍ୟାଙ୍କ ଶାଖାକୁ ମୋଟ ୨୫୩ଟି ଦରଖାସ୍ତ ଋଣ ପ୍ରଦାନ ନିମନ୍ତେ ପଠାଯାଇଥିବା ବେଳେ ସେଥିରୁ ୧୧ଟି ବ୍ୟାଙ୍କ ଶାଖା ୨୮ଟି ପ୍ରକଳ୍ପକୁ ଋଣ ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି । ଏଥି ନିମନ୍ତେ ୭୩.୭୩ ଲକ୍ଷ ଟଙ୍କାର ମାର୍ଜିନମନି ସଂପୃକ୍ତ ବ୍ୟାଙ୍କ ଶାଖା ଗୁଡିକ ଋଣ ପ୍ରଦାନ ପରେ ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ପାଇବାକୁ ରହିଥିବା ବେଳେ ବ୍ୟାଙ୍କ ପକ୍ଷରୁ ୧୯ଟି ପ୍ରକଳ୍ପ ନିମନ୍ତେ ୫୦.୧୬ଲକ୍ଷ ଟଙ୍କା ଦାବି କରାଯାଇଛି ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୨୦ଟି ପ୍ରକଳ୍ପ ନିମନ୍ତେ ୪୭.୬ଲକ୍ଷ ଟଙ୍କାର ମାର୍ଜିନମନି ବ୍ୟାଙ୍କ ଗୁଡିକୁ ପ୍ରଦାନ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏତଦବ୍ୟତିତ ୧୪ଟି ବ୍ୟାଙ୍କ ପକ୍ଷରୁ ୬୨ଟି ପ୍ରକଳ୍ପର ଋଣ ଦରଖାସ୍ତକୁ ନାମଞ୍ଜୁର କରାଯାଇଥିବା ଓ ୨୨ଟି ବ୍ୟାଙ୍କରେ ୧୭୪ଟି ଋଣ ଦରଖାସ୍ତ ପଡି ରହିଥିବା ସମ୍ପର୍କରେ ସୂଚନା ଦିଆଯାଇଛି । ବୈଠକରେ କେତେକ ବ୍ୟାଙ୍କ ପ୍ରତିନିଧି ଏହି ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ସଂପୃକ୍ତ ହିତାଧିକାରିମାନେ ଶୁଝୁ ନଥିବା ସମ୍ପର୍କରେ କହିଥିଲେ । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନିଲ ପୁରୋହିତ ଉପସ୍ଥିତ ବ୍ୟାଙ୍କର ପ୍ରତିନିଧିମାନଙ୍କୁ କହିଥିଲେ ଯେ ବ୍ୟାଙ୍କ ଗୁଡିକୁ ପଠାଯାଉଥିବା ସବୁ ଦରଖାସ୍ତ ଗୁଡିକର ହିତାଧିକାରୀ କଣ ଭଲ ଲୋକ ନୁହଁନ୍ତି । ବ୍ୟାଙ୍କ ଗୁଡିକ ନାକାତ୍ମକ ମନୋଭାବ ପୋଷଣ ନକରି ଏହି ଯୋଜନାରେ ଶାଖା ପିଛା ଅନୁନ୍ୟ ଜଣେ ଜଣେ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ ନିମନ୍ତେ ବ୍ୟାଙ୍କ ଗୁଡିକ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରାପଡା ମୁଖ୍ୟଶାଖା, ଚାନ୍ଦୋଳ, ରାଜନଗର, ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ୨୦ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଜିଲ୍ଲାପାଳ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ଶିଲ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ଶିଳ୍ପ ସଂପ୍ରସାରଣ ଅଧିକାରୀ ଦେବାଶିଷ ଜେନା, ନିରଞ୍ଜନ ଦାସ, କେନ୍ଦ୍ରାପଡା ପୋର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ