ଦରମା ବୃଦ୍ଧି ଓ ନିୟମିତ ଚାକିରୀ ଦାବିରେ ସ୍ଵଚ୍ଛ ସାଥି ଓ ସୁପରଭାଇଜର ସଂଘର ଜିଲ୍ଲାପାଳଙ୍କଉଦ୍ଦେଶ୍ୟ ରେ ସ୍ମାରକପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ଵଚ୍ଛ ସାଥି ଓ ସୁପରଭାଇଜର ନିଜର ଦରମା ବୃଦ୍ଧି, ଚାକିରୀକୁ ନିୟମିତ କରିବା, ନିଯୁକ୍ତି ପତ୍ର ପ୍ରଦାନ ଆଦି ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭ ରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ସଭାପତି ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ଆଉଟସୋରସିଂ ମହାସଂଘର ରାଜ୍ୟ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଆଉଟସୋରସିଂ ମେଡ଼ିକାଲ କର୍ମଚାରୀ ନେତା ସି.ଏଚ୍ ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ବିନାୟକ ପତି, ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ପରିଛା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସ୍ଵଚ୍ଛ ଭାରତ ଅଭିଯାନରେ ନିୟୋଜିତ ହଜାର ହଜାର ସ୍ଵଚ୍ଛ ସାଥି ଓ ସୁପରଭାଇଜରମାନଙ୍କୁ କମ୍ ଦରମାରେ ଖଟେଇବା ଓ ସର୍ବନିମ୍ନ ଅଧିକାରରୁ ବଞ୍ଚିତ କରିବାକୁ ନିନ୍ଦା କରିଥିଲେ । ଉଭୟ ଅଫଲାଇନ୍ ଓ ଅନଲାଇନ୍ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନଦେବା ପରିତାପର ବିଷୟ ବୋଲି କହିଥିଲେ । ସେମାନେ କୋଭିଡ ସମୟ ସମେତ ଗତ ତିନି ବର୍ଷ ଧରି ନିଷ୍ଠାପର ଭାବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ କରୁଥିଲେ ମଧ୍ୟ ସେମାନଙ୍କ କୌଣସି ଛୁଟି ଦିଆଯାଉନି ଓ ଦୈନିକ ଦଶରୁ ବାର ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି । ସରକାର ବଜାର ଦରକୁ ଦେଖି ତୁରନ୍ତ ସେମାନଙ୍କ ଦରମା ବୃଦ୍ଧି ଓ ଚାକିରୀକୁ ନିୟମିତ ନକଲେ ରାଜ୍ୟ ସାରା ସ୍ଵଚ୍ଛ ସାଥି ଓ ସୁପରଭାଇଜରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଥିଲା । ଶେଷରେ ସଭାପତି ସଂଯୁକ୍ତା ଦାସ, ସମ୍ପାଦିକା ସୁଦୋଷ୍ଣା ନାୟକଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆଠ ଦଫା ଦାବି ସମ୍ଵଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।


