ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଞ୍ଚାୟତର ଅର୍ଜୁନପଲ୍ଲୀ ଗ୍ରାମରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ବହୁ ପରିବାରଙ୍କୁ ନଡ଼ିଆ, ଅଁଳା, ଓଉ, ପଣସ, କାଜୁ ପ୍ରଭୃତି ୧୦୦ରୁ ଅଧିକ ବିଭିନ୍ନ କିସମର ଫଳ ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ସହିତ ଘରୋଇ ଫଳ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଆୟୋଜକମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ୍ ଏ. ବିଶ୍ୱମ୍ବର, ସନ୍ତୋଷ ଶତପଥୀ ଓ ପୁଷ୍ପା ସାହୁ ଯୋଗଦେଇ ଚାରା ବଣ୍ଟନ କରିଥିଲେ। ଗ୍ରାମବାସୀମାନେ ଏଭଳି ଜନହିତକର କାର୍ଯ୍ୟକ୍ରମ ପାଇଁ ଯଶୋଦା ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଇଥିଲେ।


